ଭୁବନେଶ୍ବର: ବରିଷ୍ଠ ରାଜନେତା ଡା. ଦାମୋଦର ରାଉତଙ୍କ ପରଲୋକ । ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଡା. ଦାମୋଦର ରାଉତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ଖବର ପରେ ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶା ରାଜନୀତିରେ ଏହା ଏକ ଅପୂରଣୀୟ କ୍ଷତି। ଲୋକଙ୍କ ସେବା ତଥା ଉନ୍ନତି ପାଇଁ ତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ତାଙ୍କର ବ୍ରେନଡେଡ୍ ହୋଇଥିବା ତାଙ୍କ ପୁଅ ବିଧାୟକ ସମ୍ବିତ ରାଉତରାୟ ପୂର୍ବରୁ ସୂଚନା ଦେଇଥିଲେ । ଦୀର୍ଘ ଦିନ ଧରି କିଡ୍ନିଜନିତ ରୋଗରେ ଆକ୍ରାନ୍ତ ଥିବା ଡା. ରାଉତଙ୍କର ଗତ ୧୮ତାରିଖ ରାତିରେ ହଠାତ୍ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବା ରାସ୍ତାରେ ତାଙ୍କର ହୃଦ୍ଘାତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ଆଶୁ ଚିକିତ୍ସା ପରେ ତାଙ୍କୁ କିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।ଓଡ଼ିଶା ରାଜନୀତିରେ ଦାମୋଦର ରାଉତ ବଡ ରାଜନେତା ଭାବେ ଜଣାଶୁଣା । ପ୍ରଥମେ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହେବା ସହ ନବୀନଙ୍କ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ତେବେ ୨୦୧୯ରେ ବିଜେପି ଟିକେଟରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ ଦାମ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପିକୁ ବାଏ ବାଏ କରିଥିଲେ ଦାମ । ତାଙ୍କ ଉପରୁ ଜାନୁଆରି ୧ରେ ନିଲମ୍ବନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ରାହ୍ମଣ ବିବାଦକୁ ନେଇ ହରାଇଥିଲେ ମନ୍ତ୍ରୀପଦ । କିଛି ବର୍ଷ ହେବ ରାଜନୀତିରୁ ଏକଦମ ଦୂରେଇ ଯାଇଥିଲେ ଦାମୋଦର ।