ରେଙ୍ଗାଳି ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ସହ ୭ ଦଫା ଦାବିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ରେଙ୍ଗାଳି ବିସ୍ଥାପିତଙ୍କୁ ବର୍ଦ୍ଧିତ କ୍ଷତିପୂରଣ ରାଶି ପ୍ରଦାନ କରିବା ସହ ସେମାନଙ୍କର ୭ ଦଫା ଦାବିକୁ ପୂରଣ କରିବା ପାଇଁ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ବ୍ରାହ୍ମଣୀ ନଦୀ ଉପରେ ନିର୍ମିତ ରେଙ୍ଗାଳି ବହୁମୁଖୀ ନଦୀବନ୍ଧ ଯୋଜନା ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା । ଏହା ରାଜ୍ୟର ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ କ୍ଷମତାକୁ ବହୁଗୁଣିତ କରିଥିଲେ ମଧ୍ୟ ଏହି ପ୍ରକଳ୍ପ ବିସ୍ଥାପିତ ହୋଇଥିବା ହଜାର ହଜାର ସ୍ଥାନୀୟ ବାସିନ୍ଦାଙ୍କୁଚିରକାଳ ଦୁର୍ଦ୍ଦଶା ଭିତରକୁ ଠେଲିଦେଇଛି । ପ୍ରାୟ ଚାରି ଦଶନ୍ଧିର ଏ ଦୁର୍ଦ୍ଦଶା ଆଜି ବି ଆମକୁ ମର୍ମାହତ କରୁଛି ।
ରେଙ୍ଗାଳି ଯୋଜନାରେ ୧୯୭୩ ମସିହାରେ ଅନୁଗୋଳ ଜିଲ୍ଲାର ପାଲଲହଡା, ତାଳଚେର ଏବଂ ଦେବଗଡ଼ ଜିଲ୍ଲାର ମୋଟ ୨୬୩ ଗୋଟି ଗ୍ରାମ ଜଳମଗ୍ନ ହେବା ସହ ପ୍ରାୟ ୧୩ ହଜାର କୁଟୁମ୍ବ ବାସହରା ହୋଇଥିଲେ । ଉପଯୁକ୍ତ ଥଇଥାନ ଓ କ୍ଷତିପୂରଣ ଅଭାବରୁ ଅନେକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା । କୌଣସି ସ୍ପଷ୍ଟ ବିସ୍ଥାପନ ନୀତି ନ ଥାଇ କିମ୍ବା କୌଣସି ଗ୍ରାମସଭା, ପଲ୍ଲୀସଭା ଅବା ଜନଶୁଣାଣି କରା ନ ଯାଇ ସ୍ଥାନୀୟ ବାସିନ୍ଦାଙ୍କୁ ବିସ୍ଥାପନ ପାଇଁ ବାଧ୍ୟ କରାଗଲା । ଏ ଭିତରେ ବ୍ରାହ୍ମଣୀରେ ଅନେକ ପାଣି ବହିଗଲାଣି । ନ୍ୟାୟ ପାଇଁ ଅନେକ ଗଣଧାରଣା, ଅନଶନ, ପ୍ରତିବାଦ ଓ ବିକ୍ଷୋଭ ମଧ୍ୟ ହୋଇଗଲାଣି । ତଥାପି ବିସ୍ଥାପିତଙ୍କ ଅବସ୍ଥାରେ କିଛି ପରିବର୍ତ୍ତନ ଆସିନାହିଁ।