ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ରାସ୍ତାକଡରେ ୩୯୩ ଜଣ ଶିଶୁ ରହୁଥିବା ନେଇ ବିଧାନସଭାରେ ସ୍ପଷ୍ଟ କରିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ରାସ୍ତାକଡର ଶିଶୁମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ସହ କିଭଳି ଭଲ ପଢିବେ, ଭିକ୍ଷାବୃତ୍ତି ଓ ନିଶା ଠାରୁ ଦୂରେଇ ରହିବେ ଓ ଭଲ ମଣିଷ ହେବେ ସେଥିପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ପ୍ରଫୁଲ ସାମଲ ।
ଲିଖିତ ଉତ୍ତରରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ କହିଛନ୍ତି, ଏବେ ରାଜ୍ୟରେ ୩୯୩ ଜଣ ଶିଶୁ ରାସ୍ତା କଡରେ ଜୀବନ ଅତିବାହିତ କରୁଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୩୦୫ ଜଣ ଶିଶୁ ରହିଥିବା ବେଳେ ଦ୍ୱିତୀୟରେ ଯାଜପୁର ଜିଲ୍ଲା ରହିଛି । ଯାଜପୁରରେ ୩୦ ଜଣ ଶିଶୁ ରାସ୍ତାକଡରେ ଜୀବନ କାଟୁଛନ୍ତି । ସେମାନଙ୍କ ଚିନ୍ତା ସରକାର କରୁଛନ୍ତି । ସେମାନଙ୍କୁ ଆଗାମୀ ଦିନରେ ଥଇଥାନ କରାଯିବା ସହ ସେମାନଙ୍କ ଶିକ୍ଷାର ଦାୟିତ୍ବ ନିଆଯିବ ।