ପାର୍ଟ ପ୍ଲଟ୍‌ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି

ପାର୍ଟ ପ୍ଲଟ୍‌ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ । ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି । ଏଥିସହ ଚାଷ ଜମି ବିକ୍ରି ଉପରୁ ମଧ୍ୟ କଟକଣା ହଟିଛି । ତେବେ କେବଳ ଚାଷ କାର୍ଯ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ଜମି ବିକ୍ରି କରିବାକୁ ଅନୁମତି ମିଳିଛି । ଏଥିସହ ପରିବାର ଭିତରେ ଅଥବା ଭାଇ-ଭାଗ ଭିତରେ ଜାଗା ବଣ୍ଟା ହେଲେ ଆଉ ସବ୍‌ଡିଭିଜନ ଲେ-ଆଉଟ ଦରକାର ପଡ଼ିବ ନାହିଁ  । ପୂର୍ବରୁ ଥିବା ବ୍ୟବସ୍ଥାରେ ସଂଶୋଧନ ଆଣି ସାନି ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।

ତେବେ ଏହା ରେରା ନିୟମର ଉଲ୍ଲଙ୍ଘନ କରୁଥିବା କୁହାଯାଉଛି । କାରଣ ସବ୍‌ପ୍ଲଟ୍‌ ବିକ୍ରି ପରେ ବଳକ ଜାଗା କେତେନମ୍ବର ପ୍ଲଟ, ତାହା ସବ୍‌ରେଜିଷ୍ଟ୍ରାର କେମିତି ଜାଣିବେ ବୋଲି ପ୍ରଶ୍ନ ଉଠୁଛି । ଗ୍ରୁପ୍ ହୋଇ ଏକାଧିକ ଲୋକ ବଡ଼ପ୍ଲଟ କିଣିପାରିବେ । ନିଜ ନିଜ ଭିତରେ ଆବଣ୍ଟନ ସମୟରେ କୌଣସି ଲେ-ଆଉଟର ଆବଶ୍ୟକ ପଡ଼ିବନି । ତେଣୁ ଏହା ମଧ୍ୟ ଏକ ଗଳାବାଟ ବୋକି କୁହାଯାଉଛି।

ପୁରୁଣା ନିୟମରେ ପାର୍ଟ ପ୍ଲଟ କିଣିଥିଲେ ଏବଂ ପଞ୍ଜିକରଣ ହୋଇଥିଲେ ମଧ୍ୟ ତାହାକୁ ବେଆଇନ ଧରା ଯାଉଥିଲା । ନୂଆ ନିୟମରେ ସେ ଜମି ନିକଟରେ ୨୦ ଫୁଟ୍‌ର ରାସ୍ତା ଥିଲେ ଜରିମାନା ଦେଇ ତାହାକୁ ନିୟମିତ କରିପାରିବେ । ପରିବାର ଭିତରେ ପ୍ଲଟ୍‌ ଆବଣ୍ଟନ ବେଳେ ଲେ-ଆଉଟ୍‌ର ଆବଶ୍ୟକତା ପଡ଼ିବନି । ଚାଷଜମି ଯଦି କେବଳ ଚାଷ ଉଦ୍ଦେଶ୍ୟରେ ବିକ୍ରି ହୁଏ ତେବେ ମଧ୍ୟ ଲେ-ଆଉଟ ଆବଶ୍ୟକ ପଡ଼ିବ ନାହିଁ । କିନ୍ତୁ ଏହାକୁ ଘର କିମ୍ବା ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ । ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହେଲେ କିସମ ପରିବର୍ତ୍ତନ ଜରୁରି । ପୂର୍ବରୁ ବିଡିଏ କଟକଣା ଫଳରେ ଜମି ବିକ୍ରି କରିବାକୁ ସବ୍‌ରେଜିଷ୍ଟ୍ରାର ଅନୁମତି ଦେଉନଥିଲେ । ଦୀର୍ଘ ଦିନ ଧରି ପାର୍ଟ ପ୍ଲଟ ବିକ୍ରି ବନ୍ଦ ଥିବାରୁ ସରକାର କ୍ଷତି ସହୁଥିଲେ ଏବଂ ଲୋକେ ହଇରାଣ ହେଉଥିଲେ । ଖୁଵଶୀଘ୍ର ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍‌ ନେଇ ମଧ୍ୟ ବାଟ ଫିଟିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ । ଏନେଇ ଫାଇଲ କାମ ଆଗେଇଛି । ଚୂଡାନ୍ତ ପ୍ରକ୍ରିୟାରେ ଅଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Leave a comment