ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ଅପପୁଷ୍ଟି ରୋକିବା ପାଇଁ ବିଭାଗ ପକ୍ଷରୁ ଦିଆଯାଉଥିବା ଖାଦ୍ୟ ବିଶେଷ କରି ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ପାଇଁ ଉପଯୁକ୍ତ ତଦାରଖ କରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଛତୁଆର ପ୍ରସ୍ତୁତିଠାରୁ ଆରମ୍ଭ କରି ପ୍ୟାକେଜିଙ୍ଗ, ବଣ୍ଟନ ପର୍ଯ୍ୟନ୍ତ ପୂରା ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ମତ ଦେଇଥିଲେ । ଶିଶୁ ଓ ମହିଳାଙ୍କ ସ୍ବାସ୍ଥ୍ୟ ସହିତ କୌଣସି ପରିସ୍ଥିତିରେ ସାଲିସ୍ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ସବୁ ଜାଗାରେ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ନାହିଁ, ସେସବୁ ଜାଗାରେ ନିଜସ୍ବ ଗୃହ ନିର୍ମାଣ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିସନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment