ମହାନଦୀରେ ବୁଡ଼ି ଛାତ୍ରଙ୍କର ମୃତ୍ୟୁ
କଟକ: କଟକର ଯୋବ୍ରା ଆନିକଟରେ ବୁଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଛାତ୍ର ଜଣକ ଜଗତପୁର ଥାନାର ପଶ୍ଚିମକଚ୍ଛ ଅଞ୍ଚଳର ସୋହେଲ ଖାନ ବୋଲି ଜଣାଯାଇଛି। ଘଟଣା ସଂପର୍କରେ ଖବର ପାଇ ଜଗତପୁର ଥାନା ପୁଲିସ ଓ ଅଗ୍ନିଶମ ବାହିନୀର ଟିମ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ସୋହେଲଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଛାତ୍ରମାନେ ସନ୍ତରଣ ପାଇଁ ମହାନଦୀକୁ ଆସିଥିବା ବେଳେ ଏଭଳି ଅଘଟଣ ଘଟିଛି। ନିମପୁର ସ୍ପୋର୍ଟ୍ସ କ୍ଳବର ୫୦ରୁ ଅଧିକ ଛାତ୍ର ସନ୍ତରଣ ପ୍ରଶିକ୍ଷଣ ପାଇଁ ମହାନଦୀକୁ ଆସିଥିବା ବେଳେ ସୋହେଲ ବୁଡ଼ି ଯାଇଥିଲେ। ଘଣ୍ଟାଏରୁ ଅଧିକ ସମୟ ଖୋଜାଖୋଜି ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।