କଳାଧନ ସମ୍ପର୍କିତ ଏସଆଇଟି ବୈଠକ

ଆଜି ବସିଛି କଳାଧନ ସମ୍ପର୍କିତ ଏସଆଇଟି ବୈଠକ ।  ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ କଟକସ୍ଥିତ ବାସଭବନରେ ବସିଛି ବୈଠକ । ଏଥିରେ ଯୋଗଦେଇଛନ୍ତି ଇଡି ନିର୍ଦ୍ଦେଶକ ରାହୁଲ ନବୀନ । ଏଥିପାଇଁ ୩ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ରାହୁଲ ନବୀନ। ତାଙ୍କ ସହ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସର ଚେୟାରମେନ ରବି ଅଗ୍ରୱାଲ ଏବଂ ଭାରତର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ମଧ୍ୟ ଓଡ଼ିଶା ଆସିଛନ୍ତି। ଏହି ତିନି ଅଧିକାରୀ ଆଜି ଏସଆଇଟି ବୈଠକରେ ଯୋଗଦେଇଛନ୍ତି । କଳାଧନ ସମ୍ପର୍କିତ ଏସଆଇଟି ବୈଠକ ପରେ ଜଷ୍ଟିସ ଅରିଜିତ ପଶାୟତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି, ଏଥିରେ ରୋକ ଲଗାଇବା ଜରୁରୀ। ଦୁର୍ନୀତି କମାଇବା ଉଦ୍ଦେଶ୍ୟ ରହିଛି। ଦୁର୍ନୀତି କମିଲେ ସମସ୍ତଙ୍କ ଉନ୍ନତି ହେବ। ଦୁର୍ନୀତି ହେଉଥିବା ଜାଣିଲେ ଜଣାଇବା ସମସ୍ତଙ୍କ କର୍ତ୍ତବ୍ୟ ହେବା ଉଚିତ। ଜଣାଇବା ଦ୍ୱାରା ଦୁର୍ନୀତିଗ୍ରସ୍ତଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁର୍ନୀତିଗ୍ରସ୍ତଙ୍କ ଆୟକର ଠକେଇର ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି। ଅନଲାଇନ୍‌‌ ଜୁଆ ଖେଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଷ୍ଟିସ ପଶାୟତ। ଅରଜିତ ପଶାୟତଙ୍କ ବାସଭବନରେ ବସିଥିବା କଳାଧନ ସମ୍ପର୍କିତ ବୈଠକରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମହାନିର୍ଦ୍ଦେଶକ ରାହୁଲ ନବୀନ, ଭିଜିଲାନ୍ସ ଡିଜି, ନାର୍କୋଟିକ ନିର୍ଦ୍ଦେଶକ, ଆୟକର ଚିଫ୍‌‌ କମିସନର, ସିବିଡିଟି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟତଃ ନିର୍ବାଚନ ସମୟରେ ଆୟକର ବିଭାଗ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ଉପରେ ଆଲୋଚନା କରାଯାଇଛି  ।