ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ
ଭୁବନେଶ୍ବର: ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଦେଶ ବିଦେଶରୁ ଶତାଧିକ ବୌଦ୍ଧ ସନ୍ୟାସୀ ଓ ଭିକ୍ଷୁ ଆସି ଭୁବନେଶ୍ବରରେ ପହଁଚିଛନ୍ତି ।
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେପଟେ ନୂତନ ରୂପରେ ସଜେଇ ହୋଇଛି ଧଉଳି।
ଆଜି ରାଜଧାନୀରେ ଶାନ୍ତି ଶୋଭାଯାତ୍ରା କରିଛନ୍ତି ବୌଦ୍ଧ ସାଧୁ ସନ୍ଥ। ରାଜଭବନ ନିକଟ ସ୍ୱତନ୍ତ୍ର ସର୍କିଟ ହାଉସରୁ ବାହାରି ଏକ ଶାନ୍ତି ଶୋଭାଯାତ୍ରା ଧଉଳି ପର୍ଯ୍ୟନ୍ତ ଯାଇଥିଲେ ସାଧୁ ସନ୍ଥ ।
ଯେଉଁଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୌଦ୍ଧ ଧର୍ମଗୁରୁ ଓ ପ୍ରଚାରକମାନେ ଯୋଗ ଦେଇ ଶାନ୍ତିର ବାର୍ତ୍ତା ବାଣ୍ଟିଥିଲେ। ପରେ ଧଉଳି ଶାନ୍ତିସ୍ତୁପ ନିକଟରେ ପହଞ୍ଚିବା ପରେ ଶାନ୍ତି ପ୍ରାର୍ଥନା କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ଧରି ପୂଜାପାଠ, ମନ୍ତ୍ର ଉଚ୍ଚାରଣ ଓ ଶାନ୍ତି ପ୍ରାର୍ଥନାରେ ପ୍ରକମ୍ପିତ ହେବ ଶାନ୍ତିସ୍ତୁପ ଧଉଳି।