ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
ଝାରସୁଗୁଡ଼ା, କିଶୋରୀ ବାଳିକା, ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ପାଇଁ ରାଜ୍ୟ ସରକାର ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ ପୁଷ୍ଟିସାଧାନ ଉଦ୍ଦେଶ୍ୟରେ କାର୍ଯ୍ୟାଳୟରୁ ଆସୁଥିବା ଏହି ଖାଦ୍ୟ ଯୋଗାଣ ନାଁରେ ବଡ଼ ଧରଣର ହେରଫେର୍ ଘଟଣା ଏବେ ସାମ୍ନାକୁ ଆସିଛି। ନିର୍ଦ୍ଦିଷ୍ଟ ଗୋଟିଏ ଏସ୍ଏଚଜି ନାଁରେ ବର୍ଷ ବର୍ଷ ଧରି ଶୁଖିଲା ଖାଦ୍ୟ ପ୍ରସ୍ତୁତି କରି ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ନେଇ ସହରାଞ୍ଚଳ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ଜଣାପଡ଼ିଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଯେଉଁ ଏସ୍ଏଚଜିକୁ ଏହି ଦାୟିତ୍ବ ଦିଆଯାଇଛି, ତାହା ବିରୋଧରେ ମାଳ ମାଳ ଅଭିଯୋଗ ଥିବା ବେଳେ ନିମ୍ନମାନର ଛତୁଆ ପ୍ରସ୍ତୁତ କରୁଥିବା ନେଇ ଖୋଦ୍ ରାଜ୍ୟ ସରକାର ବି ରିପୋର୍ଟ ଦେଇଛନ୍ତି। କିନ୍ତୁ କେଉଁ ସ୍ବାର୍ଥରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଶୁଖିଲା ଖାଦ୍ୟ ଯୋଗାଣ ପାଇଁ ଟେଣ୍ଡର ନକରି ନିର୍ଦ୍ଦିଷ୍ଟ ଗୋଟିଏ ଏସ୍ଏଚଜିକୁ ଦାୟିତ୍ବ ଦେଇଛି ତାକୁ ନେଇ ଏବେ ପ୍ରଶ୍ନଉଠିଛି | ଏନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୂଣ୍ୟବତୀ ହେଲେନ୍ ଖେସ୍ଙ୍କୁ ପଚାରିବାରେ,
ଉପରୁ ତାହା ସ୍ଥିର ହୋଇଥିବା କହିଛନ୍ତି। ସୂଚନା ଅଧିକାର ଆଇନ୍ ଯୋଗେ ମିଳିଥିବା ତଥ୍ୟ ଅନୁସାରେ, ଝାରସୁଗୁଡ଼ା ସହରାଞ୍ଚଳର ସମସ୍ତ ଅଙ୍ଗନବାଡ଼ିକୁ ଶୁଖିଲା ଖାଦ୍ୟ ଯୋଗାଣ ପାଇଁ ପଞ୍ଚପଡ଼ାସ୍ଥିତ ମା’ସରସ୍ଵତୀ ଏସ୍ଏଚଜିକୁ ଦାୟିତ୍ବ ଦିଆଯାଇଛି। ୨୦୧୦ ମସିହାରୁ ଏହି ଏସ୍ଏଚ୍ ଓ କକ୍ସ କଲୋନିର ଉଜ୍ଜଳଜ୍ୟୋତି ଏସ୍ଏଚ୍ ମାଧ୍ୟମରେ ଖାଦ୍ୟ ଯୋଗାଣ ହେଉଥିବା ବେଳେ ୨୦୨୩ ମସିହାରୁ ଉଜ୍ଜ୍ବଳଜ୍ୟୋତି ଏସ୍ଏଚଜିକୁ ଏହି ଦାୟିତ୍ବରୁ ମୁକ୍ତ କରାଯାଇଛି। ଫଳସ୍ବରୂପ ଏବେ କେବଳ ମା’ ସରସ୍ଵତୀ ଏସ୍ଏଚ୍ ହିଁ ଶୁଖିଲା ଖାଦ୍ୟ ପ୍ରସ୍ତୁତ କରୁଛି। ୨୦୨୩-୨୦୨୪ ମସିହାରେ ମା’ ସରସ୍ଵତୀ ଏସ୍ଏଚ୍ଜିରୁ ପ୍ରସ୍ତୁତ ଛତୁଆ ନିମ୍ନମାନର ରହିଥିବା ନେଇ ଖୋଦ୍ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଜିଲ୍ଲା ପ୍ରଶାସନକୁ ଅବଗତ କରିଥିଲା। କିନ୍ତୁ ଏଦିଗରେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଏବେ ବି ଶୁଖିଲା ଖାଦ୍ୟ ଓ ଛତୁଆ ଏଠାରୁ ପ୍ରସ୍ତୁତ କରାଯାଉଛି। ସେପଟେ, କେବେ ଛତୁଆ ପରୀକ୍ଷଣ ହେଉଛି ତାହାର ତଥ୍ୟ ମଧ୍ୟ ବିଭାଗ ନିକଟରେ ନଥିବା ନେଇ ସୂଚନା ଅଧିକାର ଆଇନ୍ ଯୋଗେ ମଗାଯାଇଥିବା ତଥ୍ୟରେ ଉତ୍ତର ଦିଆଯାଇଛି। ଅପରପକ୍ଷେ, ବଣ୍ଟନ ହେଉଥିବା ଶୁଖିଲା ଖାଦ୍ୟର ଓଜନରେ ବି ଗଡ଼ବଡ଼ ପରିଲକ୍ଷିତ ହୋଇଛି। କିଶୋରୀ ବାଳିକାଙ୍କୁ ୧ କିଲୋ ମୁଢ଼ ଓ ୧.୫ କେଜି ଭଜା ଚଣା ପ୍ରଦାନ କରାଯାଉଥିବା ବେଳେ ଗର୍ଭବତୀ, ପ୍ରସୂତି ମା’ ମାନଙ୍କୁ ୭୫୦ ଗ୍ରାମ ମୁଢ଼ି ଓ ୧.୫ କେଜି ଭଜା ଚଣା ପ୍ରଦାନ କରାଯିବାର ନିୟମ ରହିଛି। କିନ୍ତୁ ସହରର ପୁରୁଣାବସ୍ତିର ଜଣେ କିଶୋରୀଙ୍କୁ ନିକଟସ୍ଥ ଅଙ୍ଗନୱାଡ଼ିରୁ ମିଳିଥିବା ମୁଢ଼ି ଓଜନ କରିବା ବେଳକୁ ତାହା ୯୮୫ ଗ୍ରାମ୍ ରହିଥିବା ଜଣାପଡ଼ିଥିଲା। ଏହାସହିତ ୧.୫ କେଜିର ଚଣା ପ୍ୟାକେଟ୍ ଓଜନ କରିବା ବେଳକୁ ତାହା ୧ କେଜି ୩୫୭ ଗ୍ରାମ ରହିଥିବା ଜଣାପଡ଼ିଥିଲା। ପ୍ରତିଟି ଚଣା ପ୍ୟାକେଟ୍ରେ ୧୫୦ ଗ୍ରାମ ଚଣା କମ୍ ରହୁଥିବା ବେଳେ ପ୍ରତି ମାସରେ ଜିଲ୍ଲାରେ ବଣ୍ଟନ କରାଯାଉଥିବା ୧୦ ହଜାରରୁ ଊର୍ଦ୍ଧ୍ବ ଚଣା ପ୍ୟାକେଟ୍ରୁ କେତେ ଚଣା ବାଟମାରଣା ହେଉଛି ତାହା ତଦନ୍ତସାପେକ୍ଷ। ଏହାସହିତ ଏହି ଶୁଖିଲା ଖାଦ୍ୟ ବଣ୍ଟନର କୌଣସି ନିଦ୍ଧିଷ୍ଟ ତାରିଖ ରହୁନଥିବାରୁ କେବେ ମାସର ୪ ତାରିଖ ତ ଆଉ କେତେବେଳେ ମାସର ୨୬ ତାରିଖରେ ଦିଆଯାଉଛି। ଫଳସ୍ବରୂପ ୧୨ ମାସରେ ଅନ୍ୟୁନ ୧ ମାସର ଶୁଖିଲା ଖାଦ୍ୟ ହିତାଧିକାରୀ ହରାଉଥିବା ଅଭିଯୋଗ ହୋଇଛି। ଏନେଇ ମା’ ସରସ୍ବତୀ ଏସ୍ଏଚ୍ଜିର ସଭାପତି ସୁକାନ୍ତ ପଟେଲଙ୍କୁ ପଚାରିବାରେ, ଚଣା ଓ ମୁଢ଼ି ଭଜା ହେଲେ ଓଜନ କମିଯାଏ ଓ ଏସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ବି ଜାଣିଛନ୍ତି ବୋଲି ସେ କହିଛନ୍ତି।