ଖରାକୁ ଦେଖି ବଢ଼ିଲା ଛୁଟି । ସୁବର୍ଣ୍ଣପୁର ଜିଲ୍ଲାରେ ସ୍କୁଲ ଛୁଟି ବୃଦ୍ଧି କଲେ ଜିଲ୍ଲା ପ୍ରଶାସନ । ଅସହ୍ୟ ଗରମ ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟିକୁ ବୃଦ୍ଧି କରାଯାଇଛି ।
ଚଳିତ ବର୍ଷ ମୌସୁମୀ ବିଳମ୍ବରେ ଆସିଥିବାରୁ ଏଯାଏଁ ବର୍ଷା ହୋଇନାହିଁ । ଫଳରେ ଖରା, ଗରମ ସହ ଅସହ୍ୟ ଗୁଳୁଗୁଳି ଅନୁଭୁତ ହେଉଛି । ଏହାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାପାଳ ସ୍କୁଲ, କଲେଜ, ଅଙ୍ଗନୱାଡି ସମେତ ସମସ୍ତ ଶିକ୍ଷାନୁଷ୍ଠାନକୁ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଯଦି କୌଣସି ପରୀକ୍ଷା ଅଛି ତାହେଲେ ସ୍କୁଲ କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ସହିତ ସକାଳ ସମୟରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଆସନ୍ତା ୧୮ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଥିଲେ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ବଢ଼ିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇ ମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ, ନିର୍ଦ୍ଧାରିତ ସମୟସୀମା ଅନୁଯାୟୀ ଜୁନ୍ ୧୮ ତାରିଖରେ ହିଁ ରାଜ୍ୟର ସମସ୍ତ ସ୍କୁଲ ଖୋଲିବ ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରାଜ୍ୟ ସରକାର ମେ’ ୧୨ରୁ ଜୁନ୍ ୧୮ ପର୍ଯ୍ୟନ୍ତ ଗ୍ରୀଷ୍ମ ଛୁଟି ଘୋଷଣା କରିଥିଲେ ।