ରାଜା ରାଜୁଡାମାନେ ଦେଇଥିବା ସୁନା ଅଳଙ୍କାର ସବୁ ରତ୍ନଭଣ୍ଡାରରେ ଅଛି ତ!: ବିଜେପି

ଭୁବନେଶ୍ୱର :ଶ୍ରୀଜଗନ୍ନାଥଙ୍କ  ଅମୂଲ୍ୟ ସମ୍ପତି ସୁରକ୍ଷିତ ନେଇ ୧୯୫୫ରେ ଆଇନ ପ୍ରଣୟନ କରାଯାଇଥିଲା । ତେବେ ସେ ଆଇନ କାର୍ଯ୍ୟାକାରୀ କରାଯାଉନଥିବା ବିଜେପି ଅଭିଯୋଗ କରିଛି । ବିଳମ୍ବ ନକରି ରତ୍ନଭଣ୍ଡାର ଖୋଲନ୍ତୁ ରାଜ୍ୟ ସରକାର ବୋଲି  ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ସେ ଆହୁରି କହିଛନ୍ତି ଯେ  ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ଶୀତଳଭଣ୍ଡାରରେ ନରଖି ରିପୋର୍ଟ ଉପରେ କ’ଣ ପଦକ୍ଷେପ ନେଇଛନ୍ତି ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ।  ରତ୍ନଭଣ୍ଡାରର ମିଳିଥିବା ଡୁପଲିକେଟ୍ ଚାବି ଅସଲି ନାଁ ନକଲି! ତାହା ସାଧାରଣରେ ସ୍ପଷ୍ଟ କରନ୍ତୁ ରାଜ୍ୟ ସରକାର ।  ରାଜା ରାଜୁଡାମାନେ ଦେଇଥିବା ସୁନା ଅଳଙ୍କାର ସବୁ ରତ୍ନଭଣ୍ଡାରରେ ଅଛି ତ!  ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ ୫ବର୍ଷ ହେଲା ସରକାର ରତ୍ନଭଣ୍ଡାର ଖୋଲୁନାହାନ୍ତି କାହିଁକି? ଏଭଳି ଅନେକ ପ୍ରଶ୍ନ ଉଠାଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ତଥା ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ  ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ଏ ସରକାରର ସବୁବେଳେ କମିଶନ ଦରକାର । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମଧ୍ୟ କମିଶନ ଶବ୍ଦଟିକୁ ଲଗାଇବାକୁ ପଛାଇଲେ ନାହିଁ । ଜଷ୍ଟିସ୍ ରଘୁବୀର ଦାସ କମିଶନ ପାଇଁ ରାଜ୍ୟ ସରକାର ୨୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିବାର ୬ମାସ ପରେ ଗୋଟିଏ ରିପୋର୍ଟ ସାମ୍ନାକୁ ଆସିଲା । ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ସେତେବେଳେ ବିଜେପି ମାମଲା ରୁଜୁ କରିବା ପରେ ଜିଲ୍ଲାପାଳ ନାଟକ କରି କହିଲେ, “ରେକର୍ଡ ରୁମ୍‌ରୁ ଗୋଟିଏ ଡୁପଲିକେଟ୍ ଚାବି ମିଳିଲା” । ଶ୍ରୀମନ୍ଦିର ପ୍ରଶାସନ ଆଇନ ୧୯୫୪ ମସିହାରେ ପ୍ରଣୟନ କରାଗଲା ଏବଂ ପରବର୍ତୀ ମନ୍ଦିର ଆଇନ ୧୯୬୦ ସେଥିରେ ଉଲ୍ଲେଖ ଅଛି, ରତ୍ନଭଣ୍ଡାରର ଚାବି ଏବଂ ରେକର୍ଡ କିଭଳି ସୁରକ୍ଷିତ ରହିବ । ଶ୍ରୀ ଜଗନ୍ନାଥ କମିଟିର ମୁଖ୍ୟ ହେଉଛନ୍ତି ରାଜା ଗଜପତି । ଗଜପତିଙ୍କ ଅଧ୍ୟକ୍ଷତାରେ ଯେଉଁ କମିଟି ଗଠନ କରାଯାଇଛି ତାହାର ପ୍ରତ୍ୟକ୍ଷ ତତ୍ୱାବଧାନରେ ଇନଭେଂଟ୍ରି ପ୍ରସ୍ତୁତ କରାଗଲା । ରତ୍ନଭଣ୍ଡାର ୩ ଭାଗରେ ବିଭକ୍ତ । ଗୋଟିଏ ଭିତର ଭଣ୍ଡାର ଅନ୍ୟଟି ବାହାର ଭଣ୍ଡାର । ଭିତର ଭଣ୍ଡାରରେ ସୁନା, ରୁପା, ହୀରା, ମୋତି ଓ ମାଣିକକୁ ଯାହା ସମସ୍ତ ରାଜାରାଜୱଡା ଶ୍ରୀଜଗନ୍ନାଥଙ୍କୁ ଦାନ କରିଥିଲେ । ରାଜ୍ୟ ସରକାର ଗଜପତି ମହାରାଜାଙ୍କଠାରୁ କ୍ଷମତା ପ୍ରତ୍ୟାହାର କରି ଶ୍ରୀଜଗନ୍ନାଥଙ୍କ ସମ୍ପତିକୁ ହାତକୁ ନେଲେ ସେତେବେଳେ ରତ୍ନଭଣ୍ଡାର ଇନଭେଂଟ୍ରି କରାଗଲା । ଏହାପରେ ଭିତର ରତ୍ନଭଣ୍ଡାର ୨ଟି ତାଲା ପଡିବ ଓ ସେହି ଚାବିକୁ ଦାୟିତ୍ୱରେ ଥିବା ପ୍ରଶାସକ ନେଇ ସରକାରଙ୍କ ଟ୍ରେଜେରିରେ ଦାଖଲ କରିବେ ।
ବାହାର ରତ୍ନଭଣ୍ଡାରରେ ଦୁଇ କିସମର ସ୍ୱର୍ଣ୍ଣ ଅଳଙ୍କାର ରହିବ ଯାହାକି ୨ଭାଗରେ ବିଭକ୍ତ । ଗୋଟିଏ ଶ୍ରୀଜିଉଙ୍କ ଯାନିଯାତ ଓ ଅନ୍ୟଟି ପ୍ରଭୁଙ୍କ ନୀତିକାନ୍ତ ପାଇଁ । ଯାନିଯାତ ଅଳଙ୍କାରକୁ ପାଟଯୋଶୀ ମହାପାତ୍ର ୨ଟି ଲକ୍ କରି ନିଜ ଦାୟିତ୍ୱରେ ରଖିବେ । ୧୯୭୮ମସିହାରେ ଶେଷଥର ପାଇଁ ତତ୍‌କାଳୀନ ରାଜ୍ୟପାଳଙ୍କ ତତ୍ୱାବଧାନରେ ଏକ କମିଟି କରାଗଲା । ତାହାପରେ ରତ୍ନଭଣ୍ଡାରକୁ ସରକାର କେବେ ହେଲେ ଖୋଲିନାହାନ୍ତି ବୋଲି ଦାବି କରୁଛନ୍ତି । ୪୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଓଡ଼ିଶା ସରକାର ରତ୍ନଭଣ୍ଡାର ଚାବିକୁ ହଜେଇ ଦେଇଛନ୍ତି ବୋଲି ୨୦୧୮ରେ ଜଣାପଡିଲା । ରାଜ୍ୟ ସରକାର ପ୍ରଥମତଃ ସ୍ୱୀକାର କଲେ ଅରଜିନାଲ ଚାବି ହଜିଛି ଓ ଡୁପଲିକେଟ୍ ଚାବି ମିଳିଛି । ଯଦି ପ୍ରକୃତ ସେ ଚାବିର ଡୁପଲିକେଟ୍ ଚାବି ହୋଇଥାଏ ତାହାଲେ ରତ୍ନଭଣ୍ଡାର ଖୋଲିବାର ପ୍ରତିବନ୍ଦକ ରହିଲା କେଉଁଠି? ୫ ବର୍ଷ ଧରି ଗୋଟିଏ ଡୁପଲିକେଟ୍ ଚାବିକୁ ପାଇଥିବା ସରକାର ତାହା ସତରେ ଅର୍ଜିନାଲ ଚାବିର ଡୁପଲିକେଟ୍ କି ନୁହେଁ ରାଜ୍ୟବାସୀଙ୍କୁ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ଆଚାର୍ଯ୍ୟ ଦାବି କରିଛନ୍ତି ।