ଶ୍ରୀଜୀଉଙ୍କ ରଥ ଅନୁକୂଳ

ratha khala

ପୁରୀ: ଚଳିତ ବର୍ଷ ରଥଯାତ୍ରା ପାଇଁ ଆଜି ପବିତ୍ର  ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜୀଉମାନଙ୍କ ରଥ ନିର୍ମାଣ ଅନୁକୂଳ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପରମ୍ପରା ଅନୁଯାୟୀ ରଥ ଖଳାରେ ୩ଟି ୧୨ଫୁଟିଆ ଧଉରା କାଠ ରଖାଯାଇଛି । ରଥଖଳାରେ  ହୋମ ଯଜ୍ଞ ପରେ ରଥ ନିର୍ମାଣ ଅନୁକୂଳ ହେବ । ଶ୍ରୀମନ୍ଦିରରୁ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପୂଜାପଣ୍ଡାଙ୍କ ଦ୍ୱାରା ରଥ ଖଳାକୁ ବିଜେ କରାଯିବା ପରେ  ୩ଟି ଧଉରା କାଠରେ ଆଜ୍ଞାମାଳ ଲାଗି କରାଯିବ  । ଏହାପରେ  କାଠରେ ସୁନା କୁରାଢି ଲଗାଯାଇ ଆନୁଷ୍ଠାନିକ ଭାବେ ରଥନିର୍ମାଣ କାର୍ଯ୍ୟ ଅନୁକୂଳ କରାଯିବା ପାଇଁ  ଅପରାହ୍ନ ୪ଟାରେ ରଥ ନିର୍ମାଣ ଅନୁକୂଳ ପାଇଁ ସମୟ ଧାର୍ଯ୍ୟ କରାଯାଇଛି । ତେବେ ସୋମବାରଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାପାଇଁ ଦିନ ଧାର୍ଯ୍ୟ ହୋଇଛି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ବଡଦାଣ୍ଡ ରଥଖଳାରେ ୩ଟି ଧଉରା କାଠ ପ୍ରସ୍ତୁତ କରି ରଖାଯାଇଛି । ରଥଖଳାରେ ଛାମୁଣ୍ଡିଆ କରାଯିବା ସହ ମହାରଣା ସେବକଙ୍କ ପାଇଁ ପାନୀୟ ଜଳ ଓ ଆଶୁ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଜୁନ ୨୦ରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ।