୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଓଡ଼ିଶାରେ ବିଜେପି ସରକାରର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ଅଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଆମ ସରକାର ୧ ବର୍ଷ ପୂରଣ କରିବାକୁ ଯାଉଛି ।  ଆଉ ଏହି ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି। ସରକାର ଆସିବାର ପ୍ରଥମ ଦିନରେ ୪ଟି ପ୍ରମୁଖ ନିଷ୍ପତ୍ତି ନେବା ସହିତ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିଥିଲା ବୋଲି କହିବା ସହିତ ନିଜ ସରକାର ଗୋଟି ଗୋଟି କରି ଉପଲବ୍ଧି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।  ଏହି ଅବସରରେ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଛନ୍ତି।

ଏଣେ କେନ୍ଦ୍ରରେ ମୋଦୀ ସରକାରର ତୃତୀୟ ପାଳିର ପ୍ରଥମ ବର୍ଷ ଏବଂ ନିଜ ସରକାରର ପ୍ରଥମ ବର୍ଷର ଉପଲବ୍ଧି ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତ ୧ ବର୍ଷ ଭିତରେ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଲୋକଙ୍କ ପାଇଁ କ’ଣ କ’ଣ କରିଛନ୍ତି ସେନେଇ ଗୋଟି ଗୋଟି କରି ହିସାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ କରିଥିଲେ ମୁଖ୍ୟମନ୍ତ୍ରୀ

୨୦୨୪ ଜୁନ୍ ୯ ତାରିଖ  ହେଉଛି ସ୍ୱାଧୀନ ଭାରତର ରାଜନୈତିକ ଇତିହାସରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ । ଏହିଦିନ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ଭାବେ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ଗତକାଲି ମୋଦୀଙ୍କ ନେତୃତ୍ୱାଧୀନ ସରକାର ସଫଳତାର ସହ ୧୧ ବର୍ଷ ପୂରା  କରିଛି । ଆଉ ତା ସହିତ ୩ୟ ପାଳିର ପ୍ରଥମ ବର୍ଷ ମଧ୍ୟ ପୂରଣ ହୋଇଛି । ମେ ୨୬ ତାରିଖ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଆଉ ଏବେ ଏହାକୁ ୧୧ ବର୍ଷ ପୂରଣ ହୋଇଛି ।

ତେବେ ଲୋକଙ୍କ ଆଶା ଭରସାକୁ ଅତୁଟ ରଖିବାରେ ମୋଦୀ ସରକାର ସମର୍ଥ ହୋଇଛି । ଏହି ୧୧ ବର୍ଷର ସଫଳତାର ତାଲିକା ବହୁତ ଲମ୍ବା ଏବଂ ଯୁଗାନ୍ତକାରୀ । ସଂକ୍ଷେପରେ କହିବାକୁ ଦେଶରେ ମୋଦୀ ସରକାର ଆସିବା ପରେ ଆମ ଦେଶର ସାମାଜିକ, ରାଜନୈତିକ ଏବଂ ଅର୍ଥନୈତିକ ଅବସ୍ଥାରେ ଅଦ୍ଭୁତ ପୂର୍ବ ଭାବେ ପରିବର୍ତ୍ତନ ଆସିଥିଲା । ଦେଶରେ ଏକ ସ୍ଥିର ଶାସନ ଆସିଥିଲା । ନିଜ ନେତୃତ୍ୱକାଳ ଭିତରେ ମୋଦୀ ସରକାର ଧାରା ୩୭୦ର ଉଚ୍ଛେଦ, ନାରୀଶକ୍ତି ବନ୍ଦନ ଅଧିନିୟମ, ତିନି ତଲାକର ଉଚ୍ଛେଦ, ଏକକ ଜିଏସଟିର ପ୍ରଚଳନ କରିଥିଲେ । ଏହାସହିତ ମୋଦୀ ସରକାର କୋଭିଡ୍ କବଳରୁ ମଧ୍ୟ ଲୋକଙ୍କୁ ଉଚିତ ସୁରକ୍ଷା ଦେବାରେ ସଫଳ ହେଇଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Leave a comment