ଭୁବନେଶ୍ବରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,ଲୋକଭବନରେ ପହଞ୍ଚି କିଛି ସମୟ ବିତାଇବେ ରାଷ୍ଟ୍ରପତି
ଓଡ଼ିଶାର ରାଷ୍ଟ୍ରପତି। ଭୁବନେଶ୍ବରରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିମାନବନ୍ଦରରେ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରୁ ବାହାରି ଲୋକଭବନରେ ପହଞ୍ଚି କିଛି ସମୟ ବିତାଇବେ ରାଷ୍ଟ୍ରପତି ।
ଭୁବନେଶ୍ବରରୁ କଟକ ଯାଇ ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟକୁ ଉଦଘାଟନ କରିବେ। ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି । କଟକ କାର୍ଯ୍ୟକ୍ରମ ପରେ ଆସନ୍ତାକାଲି ଗଞ୍ଜାମ ଜିଲ୍ଲା ଗସ୍ତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୪ ତାରିଖ ସକାଳେ ରାଷ୍ଟ୍ରପତି ଭୁବନେଶ୍ୱର ରେଳ ଷ୍ଟେଶନରୁ ଟ୍ରେନରେ ବ୍ରହ୍ମପୁରରେ ପହଞ୍ଚିବା ପରେ ସଡ଼କପଥରେ ଗଞ୍ଜାମ ଜିଲାର ତପ୍ତପାଣି ଯାଇ ମା’ କନ୍ଧୁଣୀଦେବୀ ପୀଠରେ ଦର୍ଶନ, ଆଳତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ର ରହଣି ସହ ବ୍ରହ୍ମପୁର-ଗୋପାଳପୁରସ୍ଥିତ ଧବଳେଶ୍ୱର ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟ ଘୋଷଣା କରାଯାଇଛି । ୫ ତାରିଖରେ ରାଷ୍ଟ୍ରପତି ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବା ପରେ ସ୍ବତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।