ନ୍ୟାୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ,

କେନ୍ଦ୍ରାପଡା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କ ଗିରଫ ଏବଂ ପୋଲିସ ନିର୍ଯାତନା ଘଟଣା ଏବେ ଓଡ଼ିଶା ହାଇକୋର୍ଟରେ ପହଞ୍ଚିଛି ।  ଚାମେଲି ଓଝାଙ୍କୁ ମିଥ୍ୟା ମାମଲାରେ ଫସାଇ ଗିରଫ କରାଯାଇଥିବା ଓ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ନେଇ ସାମାଜିକ ସଂଗଠନ ‘ଭାରତୀୟ ବିକାଶ’ ପକ୍ଷରୁ ଏକ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି ।

ଆବେଦନରେ ଘଟଣାର ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ସ୍ପେଶାଲ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ଗଠନ ଦାବି କରାଯାଇଛି। ସେହିପରି ରାଜ୍ୟରେ ସମ୍ବେଦନଶୀଳ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରଣୟନ ପାଇଁ ପ୍ରାର୍ଥନା କରାଯାଇଛି ।  ଚାମେଲି ଓଝାଙ୍କ ଘଟଣା ସମୟର ସିସିଟିଭି ଫୁଟେଜ ସଂରକ୍ଷଣ ଏବଂ ଚାମେଲି ଓଝାଙ୍କ ଚିକିତ୍ସା ରିପୋର୍ଟ ଅଦାଲତରେ ଦାଖଲ କରିବାକୁ ମଧ୍ୟ ଆବେଦନ କରାଯାଇଛି ।

ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ସଚିବ, ପଞ୍ଚାୟତିରାଜ ବିଭାଗ ସଚିବ, ଡିଜିପି, କେନ୍ଦ୍ରାପଡା ଜିଲ୍ଲାପାଳ, ଜିଲ୍ଲା ଏସପି, ମହାକାଳପଡ଼ା ଥାନା ଆଇଆଇସି ଓ ବିଡିଓଙ୍କୁ ପକ୍ଷଭୁକ୍ତ କରାଯାଇଛି।ଚାମେଲି ଓଝାଙ୍କ ଗିରଫ ଓ ହେଫାଜତରେ ନିର୍ଯାତନା ଅଭିଯୋଗକୁ ନେଇ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ମଧ୍ୟ ରିପୋର୍ଟ ତଲବ କରିଛନ୍ତି ।  ଏପରିସ୍ଥଳେ ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ଏହାର ଆଇନଗତ ଓ ପ୍ରଶାସନିକ ଗୁରୁତ୍ୱ ବଢ଼ିଯାଇଛି। ଏବେ ହାଇକୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଉପରେ ସମସ୍ତଙ୍କ ନଜର ରହିଛି ।

ଏପଟେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି  । କେନ୍ଦ୍ରାପଡ଼ା ମାମଲା ଏବେ ଦେଶରେ ଚର୍ଚ୍ଚା । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକରୁ ଆରମ୍ଭ ହୋଇଥିବା “ସରପଞ୍ଚ ବନାମ ପ୍ରଶାସନ” ବିବାଦ ଏବେ ଜାତୀୟ ସ୍ତରରେ ପହଞ୍ଚିଛି। ତିଖିରୀ ଗ୍ରାମ ପଞ୍ଚାୟତର ସରପଞ୍ଚ ଚମେଲୀ ଓଝା ଜେଲରୁ ଜାମିନରେ ମୁକୁଳିବା ପରେ ନିଜ ଲଢ଼େଇକୁ ଆହୁରି ଜୋରଦାର କରିଛନ୍ତି। ପ୍ରଶାସନିକ ନିର୍ଯାତନା ଏବଂ ରାଜନୈତିକ ଆକ୍ରୋଶର ଶିକାର ହୋଇଥିବା ଅଭିଯୋଗ ଆଣି ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜୁନ୍ ୧୬ରେ ସର୍ତ୍ତମୂଳକ ଜାମିନ ପାଇବା ପରେ ସରପଞ୍ଚ ଚମେଲୀ ଓଝା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ବିସ୍ତୃତ ଚିଠି ଲେଖିଛନ୍ତି।

ଏହି ଚିଠିରେ ସେ ସ୍ଥାନୀୟ ବିଧାୟକ ଏବଂ ବ୍ଲକ ପ୍ରଶାସନ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି।ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଉପରେ ମାସିକ ଲାଞ୍ଚ ଦେବାକୁ ଚାପ ପକାଯାଉଥିଲା। ତିଖିରୀ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ଅଟକାଇବା ସହ ବିଲ୍ ପାସ୍ କରାଯାଉ ନଥିଲା। ମହାକାଳପଡ଼ା ବ୍ଲକ ଅଫିସରେ ହୋଇଥିବା ଗଣ୍ଡଗୋଳ ପରେ ତାଙ୍କୁ ପୋଲିସ ହେପାଜତରେ ଅମାନୁଷିକ ନିର୍ଯାତନା ଓ ମାଡ଼ ମରାଯାଇଥିବା ସେ ଉଲ୍ଲେଖ କରିଛନ୍ତି। ଜଣେ ଶିକ୍ଷିତ ମହିଳା ସରପଞ୍ଚ ଭାବେ ଲୋକଙ୍କ ପାଇଁ କାମ କରୁଥିବାରୁ ତାଙ୍କ ବିରୁଦ୍ଧରେ ରାଜନୈତିକ ଆକ୍ରୋଶ ରଖାଯାଇଛି। ଏହା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଚିଠି ଲେଖି ନ୍ୟାୟିକ ତଦନ୍ତ ଦାବି କରିଥିଲେ।

ଏହି ମାମଲାକୁ ନେଇ ଆଇନଗତ ପ୍ରକ୍ରିୟା ମଧ୍ୟ ବେଶ୍ ତେଜିବାରେ ଲାଗିଛି। ଚାମେଲୀ ଓଝାଙ୍କ ନାଁରେ ଜନସ୍ୱାର୍ଥ ମାମଲା (PIL) ଆନୁଷ୍ଠାନିକ ଭାବେ ହାଇକୋର୍ଟରେ ତାଲିକାଭୁକ୍ତ । ବିଷୟବସ୍ତୁ ଯାହା ଉପରେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯିବ। ଜଣେ ନିର୍ବାଚିତ ମହିଳା ପ୍ରତିନିଧିଙ୍କୁ ପୋଲିସ ହେପାଜତରେ ଦିଆଯାଇଥିବା ବ୍ୟବହାର ଓ ମାନବାଧିକାର ଉଲ୍ଲଂଘନ।ପଞ୍ଚାୟତ ଶାସନରେ ଅମଲାତନ୍ତ୍ର ବା ପ୍ରଶାସନର ମନମୁଖୀ କାର୍ଯ୍ୟକଳାପ।ଅନ୍ୟପଟେ, ଜାତୀୟ ମାନବାଧିକାର କମିଶନ (NHRC) ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି।

ମାନବାଧିକାର କର୍ମୀ ମନୋଜ ଜେନାଙ୍କ ଅଭିଯୋଗ ଆଧାରରେ NHRC କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ଏକ ବିସ୍ତୃତ ଆକ୍ସନ ଟେକେନ ରିପୋର୍ଟ (ATR) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଜୁନ୍ ୧୩ ତାରିଖରେ ମହାକାଳପଡ଼ା ବ୍ଲକ ଅଫିସରେ ବିଡିଓଙ୍କୁ ଦୁର୍ବ୍ୟବହାର ଏବଂ ପୋଲିସକୁ ଆକ୍ରମଣ ଅଭିଯୋଗରେ ଚମେଲୀ ଓଝାଙ୍କୁ ଗିରଫ କରାଯାଇଥିଲା। କିନ୍ତୁ ଚମେଲୀ ଏହାକୁ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବୋଲି କହିଥିଲେ ଏବଂ ଅସୁସ୍ଥତା କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ପରେ ମାମଲା ଆହୁରି ଜଟିଳ ହୋଇଛି। ବିରୋଧୀ ବିଜେଡି ଏହି ପ୍ରସଙ୍ଗରେ ଚମେଲୀଙ୍କୁ ପୂର୍ଣ୍ଣ ସମର୍ଥନ ଦେଇ ନିରପେକ୍ଷ ତଦନ୍ତ ଦାବି କରିଛି।

Leave a comment