ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ
ପାରାଦୀପ-ହରିଦାସପୁର ରେଳଲାଇନର ହେବ ଦୋହରୀକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ବା CCEA ଆଜି ରେଳମନ୍ତ୍ରଣାଳୟର ଦୁଇଟି ପ୍ରମୁଖ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ଏହି ପ୍ରକଳ୍ପଗୁଡ଼ିକର ଆନୁମାନିକ ମୋଟ ବ୍ୟୟବରାଦ ପ୍ରାୟ ୩ ହଜାର୯୦୭ କୋଟି ଟଙ୍କା ରଖାଯାଇଛି ।
ମଞ୍ଜୁରୀ ପାଇଥିବା ପ୍ରମୁଖ ପ୍ରକଳ୍ପ ଦୁଇଟି ହେଲା ପାରାଦୀପ – ହରିଦାସପୁର ରେଳ ଲାଇନ୍ ର ଦୋହରୀକରଣ ଏବଂ ରାଜଖରସୁଆଁ – ଡାଙ୍ଗୁଆପୋଷି ଚତୁର୍ଥ ରେଳ ଲାଇନ୍ ନିର୍ମାଣ । ଓଡ଼ିଶା ଏବଂ ଝାଡ଼ଖଣ୍ଡର ୪ଟି ଜିଲ୍ଲାକୁ ଯୋଡୁଥିବା ଏହି ଦୁଇଟି ପ୍ରକଳ୍ପ ଦ୍ୱାରା ଭାରତୀୟ ରେଳ ନେଟୱର୍କରେ ପ୍ରାୟ ୧୪୫ କିଲୋମିଟର ନୂତନ ରେଳ ଲାଇନ୍ ଯୋଡ଼ିହେବ।
ଏହି ମଲ୍ଟି-ଟ୍ରାକିଂ ପ୍ରକଳ୍ପ ଦ୍ୱାରା ପ୍ରାୟ ୧ ହଜାର ୫୨୬ଟି ଗ୍ରାମର ପ୍ରାୟ ୧୪ ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ । ଯାହା ସ୍ଥାନୀୟ ଅଞ୍ଚଳରେ ରୋଜଗାର ଓ ସ୍ୱରୋଜଗାରର ସୁଯୋଗ ସୃଷ୍ଟି କରିବ। ପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ଦେଶର କେତେକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଯେପରିକି ଲଳିତଗିରି ବୌଦ୍ଧ କୀର୍ତ୍ତିରାଜି, କେନ୍ଦ୍ରାପଡ଼ାର ଶ୍ରୀ ବଳଦେବଜିଉ ମନ୍ଦିର ଏବଂ ମେଘାହାତୁବୁରୁ ପାହାଡ଼ ଆଦିକୁ ରେଳ ଯୋଗାଯୋଗ ବେଶ୍ ସୁଗମ ହେବ। ଏହି ପ୍ରକଳ୍ପଗୁଡ଼ିକୁ ‘ପିଏମ୍-ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ ଆଧାରରେ ପ୍ରସ୍ତୁତ କରାଯାଇଛି।
ଏହା ଦ୍ୱାରା ଯାତ୍ରୀ ଏବଂ ମାଲ୍ ପରିବହନ କ୍ଷେତ୍ରରେ ଥିବା ସମସ୍ତ ପ୍ରତିବନ୍ଧକ ଦୂର ହେବ ଏବଂ ଟ୍ରେନ ଚଳାଚଳ ଅଧିକ ଦ୍ରୁତ ଓ ବିଶ୍ୱସନୀୟ ହେବ। ଏହି ରେଳ ମାର୍ଗଗୁଡ଼ିକ କୋଇଲା, ଲୁହାପଥର, ଡୋଲୋମାଇଟ୍, ଚୂନପଥର ଏବଂ ଜିପସମ୍ ଭଳି ସାମଗ୍ରୀ ପରିବହନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ପ୍ରକଳ୍ପ ଦ୍ୱାରା ବାର୍ଷିକ ଅତିରିକ୍ତ ୪୪ ମିଲିୟନ ଟନ୍ ମାଲ୍ ପରିବହନ ହୋଇପାରିବ। ସବୁଠାରୁ ବଡ଼ କଥା ହେଉଛି, ପରିବେଶ ଅନୁକୂଳ ରେଳ ପରିବହନ ଯୋଗୁଁ ଦେଶର ଲଜିଷ୍ଟିକ୍ସ ଖର୍ଚ୍ଚ କମିବା ସହ ୬ କୋଟି ଲିଟର ତେଲ ଆମଦାନୀ ହ୍ରାସ ପାଇବ । ତାସହ ୨୯ କୋଟି କିଲୋଗ୍ରାମ ଅଙ୍ଗାରକାମ୍ଳ ନିର୍ଗମନ କମିବ । ଯାହା ପ୍ରାୟ ୧ କୋଟି ଗଛ ଲଗାଇବା ସହ ସମାନ। ଏହା ଭାରତର ଜଳବାୟୁ ଲକ୍ଷ୍ୟ ହାସଲ କରିବାରେ ବଡ଼ ସହାୟକ ହେବ।