ମେ’ ମାସ ପହିଲାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ
ଚଳିତ ରବି ଋତୁରେ ଆସନ୍ତା ମେ’ ମାସ ପହିଲାରୁ ରାଜ୍ୟର ୨୦ଟି ଜିଲ୍ଲାରେ ଚାଷୀମାନଙ୍କଠାରୁ ଧାନ କିଣିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅୟୁଜିତ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ୨୦ଟି ଜିଲ୍ଲାର ଜିଲ୍ଲାପାଳ ଓ ଯୋଗାଣ ଅଧିକାରୀଙ୍କ ସହ ଆଲୋଚନା ହୋଇଛି।ସୂଚନା ଅନୁଯାୟୀ, ଗତ ଖରିଫ୍ ଋତୁରେ ପ୍ରାୟ ୧୬ ଲକ୍ଷ ୬୦ ହଜାର ଚାଷୀଙ୍କଠାରୁ ପ୍ରାୟ ୭୩ ଲକ୍ଷ ୪୫ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଥିବା ବେଳେ ସର୍ବନିମ୍ନ ସହାୟକ ମୂଲ୍ୟ ବାବଦକୁ ୧୬ ହଜାର ୮୫୩ କୋଟି ଏବଂ ଇନ୍ପୁଟ୍ ସହାୟତା ବାବଦକୁ ୫ ହଜାର ୮୬୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଚଳିତ ରବି ଋତୁ ପାଇଁ ଆସନ୍ତା ମଇ ୧ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଧାନକିଣା ଆରମ୍ଭ ହେବ। ଏଥିରେ ୧୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ଏଥିନିମନ୍ତେ ପ୍ରାୟ ୩ ଲକ୍ଷ ୩୭ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି ଯାହା ଗତବର୍ଷ ତୁଳନାରେ ପ୍ରାୟ ୧୨୨ ପ୍ରତିଶତ ଅଧିକ ରହିଛି। ଚଳିତ ବର୍ଷ କନ୍ଧମାଳ, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ ନୂତନ ଭାବେ ଧାନକିଣା ଆରମ୍ଭ ହେଉଥିବା ବେଳେ ରବି ଋତୁରେ ମୋଟ୍ ୨୦ଟି ଜିଲ୍ଲାରେ ୯୬୫ଟି ପ୍ରାଥମିକ କୃଷି ସମବାୟ ସମିତି ମାଧ୍ୟମରେ ଧାନକିଣା ହେବ। ଏଥିରେ ମଧ୍ୟ ୨୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ପ୍ରକ୍ରିୟାରେ ସାମିଲ ହେବେ।