ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି ଓଡ଼ିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜଧାନୀର ୟୁନିଟ୍-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ୭୬ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି  ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ପତାକା ଉତ୍ତୋଳନ କରି  ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ଦେଶର ଏବଂ ରାଜ୍ୟର ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରିଥିଲେ। ଦେଶ ପାଇଁ ବଳିଦାନ ଦେଇଥିବା ଶହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଥିଲେ  ଦେଶ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛି। ଏହା ଭାରତୀୟ ଭାବେ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଅନେକ କ୍ଷେତ୍ରରେ ରାଜ୍ୟ ଦେଶ ପାଇଁ ମାର୍ଗଦର୍ଶକ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହବ୍ ପାଲଟିଛି।  ବିଗତ ୭୫ ବର୍ଷରେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ଭାବେ ଦେଶରେ ପରିଚୟ ସୃଷ୍ଟି କରିଛି । ବିପର୍ଯ୍ୟର ମୁକାବିଲା କ୍ଷେତ୍ରରେ ସାରା ବିଶ୍ବପାଇଁ ଆଦର୍ଶ ସୃଷ୍ଟି କରିଛି।

ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ପଟେଲ, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ, ବୀର ସୁରେନ୍ଦ୍ର ସାଏ, ମା ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ। ଏହି ଅବସରରେ ସେମାନଙ୍କ ପ୍ରତି  ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଜୱାନମାନଙ୍କ ପ୍ରତି ମଧ୍ୟ  ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ। କୋଭିଡ ମହାମାରୀ ସମୟରେ ସହିଦ ହୋଇ ଥିବା କୋଭିଡ ଯୋଦ୍ଧାମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

୭୫ ବର୍ଷରେ ଓଡିଶା ବିକାଶ ପଥରେ ଆଗେଇ ଚାଲିଛି ।  ଓଡ଼ିଶାର ସଫଳତା ଅନ୍ୟମାନଙ୍କ ପାଇଁ ମାର୍ଗ ଦର୍ଶନ କରୁଛି । ଗୁଣାତ୍ମକ ଶିକ୍ଷାର ଦୃଢ ପ୍ରତିଶ୍ରୁତି ବହନ କରୁଛି ଓଡ଼ିଶା । ଗାଁର ପ୍ରତିଭାବାନ୍ ପିଲାମାନଙ୍କ ପାଇଁ ଆରମ୍ଭ ହୋଇଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ଆଜି ବେଶ୍ ଲୋକପ୍ରିୟ ହୋଇଛି । କୋଟିଆରୁ ଆରମ୍ଭ କରି ଭୁବନେଶ୍ବର ପର୍ଯ୍ୟନ୍ତ ୩୧୫ଟି ଆଦର୍ଶ ବିଦ୍ୟାଳୟରେ ଆଜି ଏକ ଲକ୍ଷ ପିଲା ପାଠ ପଢୁଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବାଧୀନତାର ୭୫ ବର୍ଷ ଅବସରରେ ବିଭିନ୍ନ ବିଭାଗରେ ୭୦ ହଜାରରୁ ଅଧିକ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି।  ଓଡ଼ିଶାର ଜନଜାତି ପିଲାମାନେ ଆଜି ବିଭିନ୍ନ କ୍ଷେତ୍ରରେ, ଦେଶ ବିଦେଶରେ ସୁନାମ ଅର୍ଜନ କରୁଛନ୍ତି। ନିକଟରେ ରୋମରେ ଆମ ଓଡ଼ିଆ ପିଲା ଶେଷା କିଶାନଙ୍କୁ ଭେଟି ମୋତେ ବହୁତ ଖୁସି ଲାଗିଥିଲା  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡ଼ିଶା ଜଗନ୍ନାଥଙ୍କ ପବିତ୍ର ଭୂମି। ଓଡ଼ିଆମାନେ ସବୁବେଳେ ଆଞ୍ଚଳିକବାଦ ମାନସିକତାରୁ ଉପରକୁ ଉଠି ଜାତୀୟତା ଭାବ ନେଇ କାମ କରନ୍ତି। ଭାରତୀୟ ଜାତୀୟ ହକିର ଉଭୟ ପୁରୁଷ ଏବଂ ମହିଳା ଦଳ ପାଇଁ ଓଡ଼ିଶା ପ୍ରାୟୋଜକ ହେବା ଆମ ଜାତୀୟତା ଭାବର ଶ୍ରେଷ୍ଠ ଉଦାହରଣ।

 ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଆଉ ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା। ସେଥିପାଇଁ ଆମକୁ ବର୍ତ୍ତମାନଠାରୁ ପ୍ରସ୍ତୁତ ହେବାକୁ ହେବ। ମୋର ପୁରା ବିଶ୍ୱାସ ଏହି ସମୟରେ ଦେଶର ବିକାଶରେ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ସମସ୍ତେ ଯଦି ଦିନର ଅଳ୍ପ କିଛି ସମୟ ଦେଶ ପାଇଁ ଦେବା ଆମେ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବା ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ