ବଲିଉଡ ନିଶାରେ ଓଲିଉଡ

ଓଡ଼ିଶାର ଚଳଚ୍ଚିତ୍ର ଅଭିନେତା ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ସର୍ବତ୍ର ଚର୍ଚା ଚାଲିଛି ।ପ୍ରକୃତି ମିଶ୍ରଙ୍କ ପିତା ମନ୍ମଥ ମିଶ୍ର କହିଛନ୍ତି ଯେ ପ୍ରକୃତି ମାଧ୍ୟମରେ ବାବୁସାନ ବଲିଉଡରେ ପାଦଦେବାପାଇଁ ଚାହୁଁଥିଲେ । ପ୍ରକୃତି ମିଶ୍ର ବଲିଉଡ ଫିଲ୍ମ ଓ ସିରିୟଲରେ କାମ କରି ଯେଉଁ ସୁନାମ ପାଇଥିଲେ ଏହି ଘଟଣା ପରେ ତାଙ୍କ କ୍ୟାରିୟର ପ୍ରତି ଆଂଚ ଆସିବାର ସଂଭାବନା ରହିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରରେ ଫିଲ୍ମନିର୍ମାତାମାନେ ଆଗାମୀ ଦିନରେ ପ୍ରକୃତିଙ୍କୁ ନେବେ କି ନାହିଁ ସନ୍ଦେହ ରହିଚି ।

ବଲିଉଡ଼ ଦୁନିଆରେ ଡ୍ରଗ୍ସ ଓ ମଦ ସେବନ କରିବା କଥା କିଛି ନୂଆ ନୁହଁ ।  ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏହାର ଅଭିଯୋଗ ଲମ୍ବି ଲମ୍ବି ଚାଲିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲା ଲଗାତର ଯାଞ୍ଚ ହେଉଛି । ଏମିତିରେ ପ୍ରତିଦିନ କୌଣସି ନା କୌଣସି କଳାକାରଙ୍କ ନାମ ସାମ୍ନାକୁ ଆସୁଛି । ରିୟା ଚକ୍ରବର୍ତ୍ତୀ ଅନେକ ବଲିଉଡ଼ କଳାକାରଙ୍କ ନାମ ପ୍ରକାଶ କରିଛନ୍ତି । ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତି ସିଂ, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକନ ଭଳି ବଡ଼ ନାମ ମଧ୍ୟ ସାମିଲ ଅଛି । ବଲିଉଡ଼ରେ କାହାର ଜନ୍ମ ଦିନ ପାର୍ଟି ହେଉ ବା କୌଣସି ଫିଲ୍ମର ପ୍ରମୋସନ ପାର୍ଟି ହେଉ ନିଶା ସେବନ ହୋଇଥାଏ । ଅଭିନେତା ଅଭିନେତ୍ରୀମାନେ ନିଶାରେ ଟଳି ଟଳି ପାର୍ଟିରୁ ଘରକୁ ଯାଉଥିବାର ଦେଖାଯାଇଥାଏ । ଏବେ ସେହି ନିଶା ଆସର ଓଲିଉଡରେ ଚାଲିଥିବା ଅଭିଯୋଗ ହେଲାଣି । ଓଡ଼ିଶାରେ ମଧ୍ୟ ନିଶାସେବନ ବଢ଼ିବାରେ ଲାଗିଛି । ପ୍ରତିଦିନ ଗଂଜେଇଠାରୁ ଆରମ୍ଭ କରି ବ୍ରାଉନସୁଗାର ଧରାପଡୁଛି । ଓଡ଼ିଆ ସିନେମା ଶିଳ୍ପରେ ମଧ୍ୟ ଏହି ନିଶାସେବନ ଅଭ୍ୟାସଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

 ଓଲିଉଡରେ ନାମ କମାଇଥିବା  ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ କେବଳ ବନ୍ଧୁତ୍ବ ସଂପର୍କ ନା ଆଉ କିଛି ତାହା ଦୁଇଜଣଙ୍କ ବ୍ୟକ୍ତିଗତ  । ସବୁଠୁ ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଏହି ବନ୍ଧୁତ୍ବକୁ ନିଶା ଶସକ୍ତ କରିଥିଲା ବୋଲି ଏବେ ଅଭିଯୋଗ ଉଠିଲାଣି । ପ୍ରକୃତିଙ୍କ ପ୍ରେମରେ ପଡ଼ିବା ଯଦିବା ବାବୁସାନଙ୍କ ପତ୍ନୀଙ୍କ ତୃପ୍ତି ଅଭିଯୋଗ କରୁଛନ୍ତି କିନ୍ତୁ ନିଶାରେ ପଡିବାକୁ ଅସ୍ବୀକାର କରାଯାଇପାରିବ ନାହିଁ । ବାବୁସାନ ଓ ପ୍ରକୃତିଙ୍କୁ ପରୀକ୍ଷା କରାଗଲେ ସେ କେଉଁଭଳି ନିଶା ସେବନ କରୁଥିଲେ ତାହା ଜଣାପଡିବ । ତେବେ ବାବୁସାନ କଣ ଓଲିଉଡରୁ ବଲିଉଡ ଯିବା ପାଇଁ ପ୍ରକୃତିଙ୍କ ସହ ନିଶା ସେବନ କରିବାକୁ ବାଧ୍ୟବାଧକତା ଦେଖାଦେଇଥିଲା କି? ଗତ କିଛି ବର୍ଷ ଧରି ବଲିଉଡକୁ ନିଶା କବଳିତ କରିବା ପରେ ଏହା ଓଲିଉଡକୁ ମଧ୍ୟ ବିସ୍ତାର କରିଛି । ବିଶେଷ କରି ସୁଶାନ୍ତି ସିଂହଙ୍କ ଆତ୍ମହତ୍ୟା ପରେ ଯେଉଁ ତଦନ୍ତ ହୋଇଥିଲା ତାର ଚେର ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଥିବା ପ୍ରମାଣ ମଧ୍ୟ ରହିଛି ।  

ଏଠାରେ ସୂଚନାଯୋଗ୍ୟ ବଡ଼ ବଡ଼ କଳାକାର ଏବଂ ଫିଲ୍ମ ନିର୍ମାତାଙ୍କ ଛତ୍ରଛାୟାରେ ଚାଲୁଥିବା ବହୁ ବେନିୟମ କାର୍ଯ୍ୟ ମୁମ୍ବାଇର ମାୟା ନଗରୀରେ ନୂଆକଥା ନୁହେଁ ।  ରାତି ବଢ଼ିଲେ ସେଠି  ନିଶା ଆସରରେ ପାର୍ଟି ଜମିଆସେ  । ବଡ଼ ବଡ଼ ଅଭିନେତାଙ୍କଠାରୁ ଆରମ୍ଭ କରି ଫିଲ୍ମ ନିର୍ମାତା, ନିର୍ଦେଶକ , ବିଜନେସମ୍ୟାନ ଏବଂ ମଡେଲମାନେ ଏହି ପାର୍ଟିରେ ସାମିଲ ହୋଇ ନିଶା ବ୍ୟବହାର କରନ୍ତି ଓ ନାଚଗୀତରେ ମସଗୁଲ ହୁଅନ୍ତି । ନବାଗତଙ୍କୁ ମଧ୍ୟ ଏଥିରେ ସାମିଲ ହେବାକୁ ଫରମାନ ହୋଇଥାଏ । କ୍ରୁଜ ଭଳି ଜାହାଜରେ ଅନେକଥର ରେଭ ପାର୍ଟି  ନାମରେ କ୍ଷମତାଶୀଳ ଧନଶାଳୀ ଲୋକଙ୍କ ପୁଅଝିଅ ଏଥିରେ ସାମିଲ ହୋଇ ନିଶା ସେବନ କରିଥାନ୍ତି । ଏଥିରେ ମଧ୍ୟ ଅନେକ ଓଡ଼ିଆ ସାମିଲ ହୋଇଥାନ୍ତି । ତେବେ ବଲିଉଡ ନିଶାକାରବାର ପାଇଁ ଏବେ ଯେପରି ବଦନାମ ହୋଇଛି ଏବେଠାରୁ ଓଲିଉଡ ଜଗତର ଅଭିନେତା ଅଭିନେତ୍ରୀ ସଜାଗ ନରହିଲେ ସେମାନଙ୍କ କଳାପଥ କଳଙ୍କିତ ହେବାର ଆଶଙ୍କା ରହିଛି । ସେମାନଙ୍କର ଲକ୍ଷାଧିକ ପ୍ରଶଂସକ ଚାହାଁନ୍ତି ସେମାନଙ୍କ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ନିଷ୍କଳଙ୍କ ରୁହନ୍ତୁ  ଏବଂ ସେମାନଙ୍କ ଗୁଣାତ୍ମକ କଳାରେ ଦର୍ଶକଙ୍କୁ ଅଭିଭୂତ କରନ୍ତୁ ।

 ଅନ୍ୟପକ୍ଷରେ ମୁମ୍ବାଇରେ ନିଶା ମାଫିଆ ମାନେ ବିଭିନ୍ନ ପ୍ରକାର ନିଶା ସାମ୍ରାଜ୍ୟ ପ୍ରତିଷ୍ଠା କରି ବସିଛନ୍ତି । ସେମାନଙ୍କ ମୂଳଲକ୍ଷ୍ୟ ହେଉଛି ବଲିଉଡର ଅଭିନେତା ଓ ଅଭିନେତ୍ରୀଙ୍କୁ ଯଦି ନିଶା କବଳକୁ ଅଣାଯାଇପାରିବ ତେବେ ସେମାନଙ୍କ ବେପାର ବୃଦ୍ଧି ହେବ ଏବଂ ଟଙ୍କା ରୋଜଗାର ହେବ । ଓଡ଼ିଶାର ଗଂଜେଇରେ ଅଧିକ ନିଶା  ଅଛି ବୋଲି ବଲିଉଡରେ ଅଭିନେତା ଅଭିନେତ୍ରୀମାନେ ଅନେକଥର କହିଛନ୍ତି  । ପୂ୍ର୍ବରୁ ବଲିଉଡ ନିଶାକବଳିତ ହୋଇସାରିଥିବା ବେଳେ ଏବେ  ବଲିଉଡ ନିଶାରେ ଓଲିଉଡ  କବଳିତ ହେବାକୁ ଯାଉଥିବା ଅଭିଯୋଗ ହେଉଛି ।