ମଶା ଉତ୍ପାତ ପାଇଁ ଦାୟୀ କିଏ?

ଭୁବନେଶ୍ୱର: ମଶାଙ୍କ ଉତ୍ପାତ ଏବେ ରାଜଧାନୀବାସୀଙ୍କ ପାଇଁ କଷ୍ଟକର ହୋଇଛି । ମଶାଙ୍କ ପାଇଁ ଲୋକଙ୍କ ନିଦ ହଜିଯାଇଛି । ମଶାଙ୍କ ଉପଦ୍ରବ ରାଜଧାନୀବାସୀଙ୍କ ଶାନ୍ତି ହଜେଇ ଦେଇଛି। ବିଏମସି କର୍ତୃପକ୍ଷଙ୍କ ଅପାରଗତା ହିଁ ଏଥିପାଇଁ ଦାୟୀ ବୋଲି ଜନସାଧାରଣ ରାଜନେତା ଅଭିଯୋଗ କରୁଛନ୍ତି । ଏହି ସମସ୍ୟା ବର୍ଷ ବର୍ଷ ଧରି ରହିଥିଲେ ମଧ୍ୟ ବିଏମସି ଶୋଇରହୁଛି । ମଶା କୁ ନେଇ ରାଜଧାନୀତରେ ଦେଖାଯାଇଥିବା ସମସ୍ୟାର ଅନ୍ତ ଘଟିବା ପରିବର୍ତେ ଅଧିକରୁ ଅଧିକ ଉତ୍କଟ ହୋଇ ଚାଲିଥିବାରୁ ରାଜରାସ୍ତାରେ ଏବେ ବିଜେପି ଏବଂ କଂଗ୍ରେସ ଆନ୍ଦୋଳନ କରିବାକୁ ବାହାରିଛନ୍ତି । ରାଜଧାନୀରେ ମଶା ଉତ୍ପାତ ସଂକ୍ରାନ୍ତରେ ବିଜେପି ବିଏମସି ଅଫିସ ଘେରାଉ କରି ଅନେକ ପ୍ରଶ୍ନ ବିଏମସିକୁ ପଚାରିଥିଲା । ଏବେ ପୂର୍ବତନ ମନ୍ତ୍ରୀ ତଥା ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରା ଏକ ପ୍ରେସ ଇସ୍ତାହାର ଜରିଆରେ ବିଏମସିକୁ କେତୋଟି ପ୍ରଶ୍ନ ପଚାରିଛନ୍ତି। ମଶା ମାରିବା ପାଇଁ ବିଏମସି କଣ କରୁଛି ? ଏଠାରେ ବିଶେଷଜ୍ଞ କାହିଁକି ନାହାନ୍ତି? କାହିଁକି ମଶାଙ୍କ ଲାର୍ଭା ଖାଇବା ପାଇଁ ୧୦ବର୍ଷ ହେଲା ବନ୍ଦ ହୋଇଯାଇଛି ରସୁଲଗଡ଼ର ମାଛ ହାଚେରୀ? କାହିଁକି ଅନ୍ୟସୂତ୍ରରୁ ସଂଗ୍ରହ କରି ଅପରିଷ୍କାର ପାଣିରେ ଗଙ୍ଗୁଶିଆ ମାଛ ଓ ପରିସ୍କାର ପାଣିରେ ଗଫି ମାଛ ଛଡ଼ାଯାଉ ନାହିଁ? ଯୁଦ୍ଧକାଳୀନ ଭିତିରେ ମଶା ନିପାତ ନିମିତ ପଦକ୍ଷେପ ଗ୍ରହଣ କରିବା ସହ କେବେ ସୁଦ୍ଧା ରାଜଧାନୀବାସୀ ମଶା ଦାଉରୁ ମୁକ୍ତି ପାଇବେ ତାହାର ଠୋସ ଉତର ରଖିବାକୁ ଶ୍ରୀ ବେହେରା ବିଏମସି କର୍ତୃପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି। ଆବଶ୍ୟକ ପଡିଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ପୂର୍ବତନ ମନ୍ତ୍ରୀ କହିଛନ୍ତି। ସେପଟେ ମଶାଙ୍କ ଉତ୍ପାତ ଏତେ ବଢ଼ିଛି ଯେ ବୁଦ୍ଧିଜୀବୀମାନେ ମେୟର ଏବଂ ବିଏମସି ଅଧିକାରୀଙ୍କୁ ସବୁ ଦୋଷ ଦେଉଛନ୍ତି । ଅପରିଷ୍କାର ନାଳ ନର୍ଦମା ସଫା କରିବାକୁ ବିଏମସି କିଛି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ କରୁଛନ୍ତି ବୁଦ୍ଧଜୀବୀ । ମଶା ମାରିବା ପାଇଁ ଯେଉଁ ଧୂଆଁ ଗାଡି ବୁଲୁଛି ତାହା ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ଗାଡି ଧୂଆଁ ଯିବା ପରେ ମଧ୍ୟ ମଶା ମରୁନାହାଁନ୍ତି । ଅଧିକ ସଂଖ୍ୟାରେ ଘରେ ପଶୁଛନ୍ତି । ଦେଖାଯାଉ ମଶା ଆଉ କେତେ ଦିନ ଧରି ଏପରି ଉତ୍ପାତ କରୁଛନ୍ତି । ଆଉ ରାଜଧାନୀବାସୀ ମଶା କାମୁଡ଼ା କଷ୍ଟ ଭୋଗୁଛନ୍ତି ।