ଦୁଇ ଦିନ ହେଲା ମୁଖ୍ୟମନ୍ତ୍ରୀ କୋରାପୁଟ ଗସ୍ତରେ ଥିବାବେଳେ ଗଞ୍ଜାମରେ ଡେରା ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅନ୍ୟପଟେ ପ୍ରଭାତୀ ପରିଡ଼ା ଆଜି ନବରଙ୍ଗପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
- କୋରାପୁଟରୁ ମୋହନଙ୍କ ବଡ଼ ଘୋଷଣା
- ୪ ଜିଲ୍ଲାରେ ଖୋଲିବ ମେଡିକାଲ୍ କଲେଜ
ଶନିବାର ଅଧ ରାତି ପର୍ଯ୍ୟନ୍ତ ଲୋକଙ୍କ ଅଭିଯୋଗ ଶୁଣିବା ପରେ ଦ୍ବିତୀୟ ଦିନରେ ଆଜି କୋରାପୁଟକୁ ବଡ଼ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲର ୬୫୦ ଶଯ୍ୟା ବିଶିଷ୍ଟ ନୂତନ କୋଠାର ଉଦଘାଟନ କରିଛନ୍ତି । ହସ୍ପିଟାଲରେ ଚିକିତ୍ସା ପାଇଁ କ’ଣ ସୁବିଧା ରହିଛି ତାର ଅନୁଧ୍ୟାନ କରିଛନ୍ତି । ତା ପରେ ଡିଏଭି କଲେଜ ଗ୍ରାଉଣ୍ଡରେ ଆୟୋଜିତ ସଭାରେ ଯୋଗ ଦେଇ ବଡ଼ ଘୋଷଣା କରିଛନ୍ତି । କହିଛନ୍ତି, କୋରାପୁଟ ପଛରେ ଯୋଡ଼ା ଯାଉଥିବା ପଛୁଆ ଜିଲ୍ଲାକୁ ହଟାଯିବ । ନୂଆ ସକାଳ ଦେଖିବ କୋରାପୁଟ ଜିଲ୍ଲା । ନବରଙ୍ଗପୁର, ଭଦ୍ରକ, ଢେଙ୍କାନାଳ, ଜଗତସିଂପୁରରେ ଆଉ ୪ଟି ମେଡିକାଲ କଲେଜ ଖୋଲାଯିବ । ସମାବେଶ ପରେ ୪ଜିଲ୍ଳାର ଜିଲ୍ଲାପାଳଙ୍କ ସହ ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ।
- ନବରଙ୍ଗପୁରରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
- ଭବାନୀପାଟଣା ତ୍ରିରଙ୍ଗା ଯାତ୍ରାରେ ସାମିଲ
ନବରଙ୍ଗପୁର ଜିଲ୍ଲା ଗସ୍ତ କରି ଆଜି ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଜିଲ୍ଲାପାଳଙ୍କ ଉପସ୍ଥିତିରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା କରିଛନ୍ତି । ଏହି ଅବସରରେ ନବରଙ୍ଗପୁର ଜିଲ୍ଳା ଶିଶୁମାନଙ୍କ ମଧ୍ୟରେ ସିକଲସେଲ୍ ଆନିମିଆ ଭଳି ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଥିବାରୁ ଗୋଟିଏ ବ୍ଲକକୁ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରି ଅପପୁଷ୍ଟି ମୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପଟେ ନବରଙ୍ଗପୁର ପରେ ଭବାନୀପାଟଣା ଯାଇ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମ ଗସ୍ତର ଦ୍ଵିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଆଇ ଆର ଆଇଠାରେ ଲୁଣି ପାଣିରୁ ମଧୁର ଜଳ ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଛତ୍ରପୁରରେ ଅନୁଷ୍ଠିତ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗ ଦେଇ ବିକାଶର ତାଲିକା ଦେଇଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ଜନହିତକର ଯୋଜନା କିଭଳି କାର୍ଯ୍ୟକାରୀ କରାଯାଇଛି ତାହା ବିସ୍ତୃତ ଭାବେ ରଖିଛନ୍ତି । ଅନ୍ୟପଟେ ପୂର୍ବ ସରକାର ସମୟରେ ଗଞ୍ଜାମକୁ ଅଣଦେଖା କରାଯାଇଥିଲା କହି କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଦକ୍ଷିଣ ଓଡ଼ିଶାରେ ଡେରା ପକାଇବାକୁ ନେଇ ଜୋର ଧରିଛି ଚର୍ଚ୍ଚା ।