ମହାନଦୀ ପ୍ରସଙ୍ଗ ଆଲୋଚନା ପାଇଁ ଦାବି କଲେ ଜୟନାରାୟଣ

ଭୁବନେଶ୍ବର: ମହାନଦୀକୁ ନେଇ ପୁଣି ବିଧାନସଭାରେ ତାତି । ସରକାରଙ୍କୁ ବିରୋଧୀ ପ୍ରଶ୍ନବାଣରେ ଘାଇଲା କରିଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ  ମହାନଦୀ ପ୍ରସଙ୍ଗ ଉପରେ ମୋସନ ଆକାରରେ ଆଲୋଚନା ହେଉ ଓ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ସେ ଦାବି କରିଛନ୍ତି। ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗ ଉଠାଇବା ପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ନିଜର କଡ଼ା ପ୍ରତିକ୍ରିୟାରେ କହିଛନ୍ତି, କମିଟିଗୁଡ଼ିକର ବୈଠକ କେବେ ବି ହୋଇନାହିଁ। ମୋସନ ଆଲୋଚନା ହେବ ବୋଲି ଆଶା କରୁଛି। ମନ୍ତ୍ରୀ ବିବୃତି ଦେଇନାହାନ୍ତି। ବିବୃତି ଦେଲେ କିଛି ଅନୁଚିତ ହେବ ନାହିଁ।

ବିରୋଧୀ ଦଳ ନେତା ଜୟନାରାୟଣ କହିଛନ୍ତି, ଗତ ୨୦୧୭ ମସିହା ଡିସେମ୍ବର ୭ ତାରିଖରେ ତତ୍କାଳୀନ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କ ଅଧ୍ୟକ୍ଷତାରେ ମହାନଦୀ ପ୍ରସଙ୍ଗରେ ଏକ ସର୍ବଦଳୀୟ କମିଟି ଗଠନ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ କମିଟି ଗଠନ ହୋଇଥିଲା। କଣ ସବୁ ନିଷ୍ପତ୍ତି ହୋଇଥିଲା , କେବେ ଏହି କମିଟିର ବୈଠକ ବସିଥିଲା ବିଭାଗୀୟ ମନ୍ତ୍ରୀ ଉତ୍ତର ରଖନ୍ତୁ। ଜଳ ଟ୍ରିବ୍ୟୁନାଲ ପାଇଁ ୫ଜଣିଆ କମିଟି ଗଠନ ହୋଇଥିଲା। ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି? ଟ୍ରିବ୍ୟୁନାଲ ତାରିଖ କାହିଁକି ବାରମ୍ବାର ଘୁଞ୍ଚିଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ ମିଶ୍ର।