ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କ ବିରୋଧରେ ଗର୍ଜିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ  ଦଳୀୟ କର୍ମୀଙ୍କ ଦ୍ବାରା ସମ୍ବର୍ଦ୍ଧିତ ହେଲା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ମନ୍ତ୍ରୀ ବିଧାୟକ ଭେଟି ପାରୁନାହାଁନ୍ତି । ଏଠାରେ କିପରି ସରକାର ଚାଲିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।  ଆଗାମୀ ଦିନରେ ବିଜେପି ଦଳ ସରକାର ଗଠନ କରିବ ବୋଲି ସେ ଆହ୍ବାନ ଦେଇଛନ୍ତି ।  ଏଠାରେ ସରକାର ଗଠନ ପାଇଁ ସମସ୍ତଙ୍କୁ କାମ କରିବାକୁ ପଡ଼ିବ। ୨୩ ଜଣ ଯୁବ ମୋର୍ଚ୍ଚାର ଭାଇ ଜେଲରେ ଅଛନ୍ତି। ଜେଲରେ ଜାଗା ହେବ ନାହିଁ। ଜେଲ ଭରୋ ଆନ୍ଦୋଳନ କରିବୁ ବୋଲି ମଧ୍ୟ କହିଛନ୍ତି ମନମୋହନ ସାମଲ ।

ଭାରତୀୟ ଜନତା ପାର୍ଟୀ ହେଉଛି ଆଭ୍ୟନ୍ତରୀଣ ଗଣତାନ୍ତ୍ରୀକ ଏବଂ କ୍ୟାଡର ଭିତିକ ରାଜନୈତିକ ଦଳ । ଏହି ଦଳକୁ ଗଢି ତୋଳିବା ପାଇଁ କୋଟି କୋଟି କାର୍ଯ୍ୟକର୍ତାଙ୍କ ଅବଦାନ ଓ ବଳିଦାନ ଚିରସ୍ମରଣୀୟ ବୋଲି ସେ କହିଛନ୍ତି । ସାମୁହିକ ନେତୃତ୍ୱ, ଜନ ବିଶ୍ୱାସ, କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ଆଧାର  କରି ବିଜେପି ଲୋକଙ୍କ ସେବା କାର୍ଯ୍ୟ କରୁଛି ଏବଂ ଓଡିଶାବାସୀଙ୍କୁ ଏକ ନିର୍ମଳ, ସ୍ୱଚ୍ଛ ଶାସନ ଦେବା ପାଇଁ ପ୍ରସ୍ତୁତ ରହିଛି ବୋଲି ନବନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସ୍ୱାଗତ ଓ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, କଂଗ୍ରେସ ଦଳର ଅନ୍ୟାୟ, ଅତ୍ୟାଚାର, ଦୁର୍ନୀତି ବିରୁଦ୍ଧରେ ଲଢିବାକୁ ଯାଇ ବିଜୁ ଜନତା ଦଳର ପ୍ରତିଷ୍ଠା ହୋଇଥିଲା । ଆଜି ତାଠୁ ବହୁ ଅଧିକ ଗୁଣା ଭୟାନକ ଓ ବିସ୍ପୋରକ ସ୍ଥିତି ବିଜେଡି ଶାସନରେ ଦେଖାଯାଇଛି । ବିଜେଡି କଂଗ୍ରେସ ଦଳକୁ ବଳିଗଲାଣି । ଓଡିଶାରେ ସବୁକିଛି ଥାଇ ସୁଦ୍ଧା ଓଡିଆ ଆଜି ଗରୀବ । ଶାସନ ବ୍ୟବସ୍ଥା ସ୍ଥାଣୁ ପାଲଟିଯାଇଛି । ଗଣତନ୍ତ୍ର ବିପଦରେ । ବର୍ତମାନ ବିଜେଡି ସରକାରକୁ ତଡିବାର ସମୟ ଆସିଯାଇଛି । ଜନବିରୋଧୀ, ବିକାଶବିରୋଧୀ ବିଜେଡି ସରକାରକୁ ହଟାଇବା ହେଉଛି ଆମର ଏକ ମାତ୍ର ଲକ୍ଷ୍ୟ । ୨୦୦୦ ମସିହାରେ କଂଗ୍ରେସ ଦଳକୁ ହଟାଇବା ପାଇଁ ଶପଥ ନେଇଥିଲୁ, ଏବେ ବିଜେଡିକୁ ହଟାଇବା ପାଇଁ ଶପଥ ନେଉଛୁ । ଦୀର୍ଘ ୨୩ ବର୍ଷର ଦୁର୍ନୀତିଖୋର, ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢିବା, ଜିତିବା ଏବଂ ଏକ ନୂତନ ଇତିହାସ ସୃଷ୍ଟି କରିବା । ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ପାଲଟିବ ବିଜେପି ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟବାସୀ ବିକଳ୍ପ ସରକାର ଖୋଜୁଛନ୍ତି । ରାଜ୍ୟର ସାମୁହିକ ବିକାଶ ପାଇଁ ଆମ ପାଖରେ ସୁଦୃଢ ନକ୍ସା ପ୍ରସ୍ତୁତ ଅଛି । ଆମେ ଶୋଇବୁ ନାହିଁ କି ରାଜ୍ୟ ସରକାରଙ୍କୁ ଶୋଇବାକୁ ଦେବୁ ନାହିଁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ନବନିଯୁକ୍ତ ରାଜ୍ୟ ସଭାପତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଗତ ୨୦୨୦ ମସିହା ଜାନୁଆରୀ ୧୭ ତାରିଖ ଦିନ ଦାୟୀତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟକର୍ତାଙ୍କ ସହଯୋଗରେ ଦଳର ସଂଗଠନକୁ ସଶକ୍ତ କରିବା ପାଇଁ କାର୍ଯ୍ୟ କରିଛନ୍ତି । ନମନିଯୁକ୍ତ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆମେ ସମସ୍ତେ ଏକାଠି ହୋଇ ବିଜେଡି ସରକାରକୁ ଓପାଡି ଫୋପାଡିବା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ରାଜ୍ୟବାସୀଙ୍କ ପାଖରେ କୈାଣସି ଉତର ରଖିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କର ଦକ୍ଷତା କି ସାହସ ନାହିଁ । ଯେତେ ଶୀଘ୍ର ବିଜେଡି ସରକାରର ପତନ ହେବ, ଓଡିଶାବାସୀଙ୍କ ମଙ୍ଗଳ ହେବ ବୋଲି ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର କହିଛନ୍ତି ।
ଏହି ଅବସରରେ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦିକା ତଥା ଓଡିଶା ପ୍ରଭାରୀ ଡି.ପୁରନେ୍ଦଶ୍ୱରୀ, ରାଜ୍ୟ ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ, ବସନ୍ତ ପଣ୍ଡା, କେ.ଭି.ସିଂହଦେଓ, ସାଂସଦ ପ୍ରତାପ ଷଡଙ୍ଗୀ, ସଂଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ଡ.ସମ୍ବିତ ପାତ୍ର ପ୍ରମୁଖ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅପାରଗ ଓ ର୍ଭ୍ରଷ୍ଟାଚାରୀ ବିଜେଡି ସରକାର ବିରୁଦ୍ଧରେ ଲଢେଇକୁ ଶାଣିତ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଥିଲେ ।