ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ
ଓଡ଼ିଶାର ବର୍ତ୍ତମାନ ସରକାରର ଏକ ବର୍ଷ ପୂର୍ତ୍ତି ଅବସରକୁ ପାଳନ କରିବା ପାଇଁ ରୋଡମ୍ୟାପ ତିଆରି କରିବା ଉଦ୍ଦେଶ୍ୟରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା। ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଉଭୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଶ୍ରୀମତୀ ପାଢ଼ୀ ଏହି ଉତ୍ସବକୁ ଅର୍ଥପୂର୍ଣ୍ଣ, ଅର୍ନ୍ତଭୁକ୍ତି ଓ ପ୍ରଭାବଶାଳୀ ଭାବେ ଆୟୋଜନ କରିବା ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସରକାରଙ୍କ ଏକ ବର୍ଷର ସଫଳତା ବିବରଣୀ ଏହି ଅବସରରେ ରାଜ୍ୟବାସୀଙ୍କ ସମ୍ମୁଖରେ ଉପସ୍ଥାପନ କରିବାକୁ ପରାମର୍ଶ ଦେଇଥିଲେ। ଶ୍ରୀମତୀ ପାଢ଼ୀ ବିଭାଗ ଅନୁଯାୟୀ କାର୍ଯ୍ୟ ଯୋଜନା ପ୍ରସ୍ତୁତି ଓ ସମସ୍ତ କାର୍ଯ୍ୟକ୍ରମରେ ସର୍ବାଧିକ ଜନସାଧାରଣ ଭାଗୀଦାରୀ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଉତ୍ସବ ଏକ ନାଗରିକ କୈନ୍ଦ୍ରିକ ଏବଂ ଗଣତାନ୍ତ୍ରିକ ଶାସନର ପ୍ରତିବିମ୍ବ ଭାବେ ଆୟୋଜିତ କରାଯିବ । ବୈଠକରେ ଏକ ସଂପୂର୍ଣ୍ଣ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ତିଆରି କରିବା ଏବଂ ଏହି ଉତ୍ସବର ସଫଳତା ପାଇଁ ସମସ୍ତ ବିଭାଗ ଓ ସହଯୋଗୀଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ରଖିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।