ଦନ୍ତେୱାଡାରେ ବଡ଼ ଧରଣର ଏନକାଉଣ୍ଟର ଜାରି, ଏକାଧିକ ମାଓବାଦୀଙ୍କ ମୃତ୍ୟୁ

ନିପାତ ହେଉଛନ୍ତି ମାଓବାଦୀ । ପୁଣି ଛତିଶଗଡ ଦାନ୍ତେୱାଡାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ମହିଳା  ମାଓବାଦୀ  ମୃତ । ଦାନ୍ତେୱାଡା  ଓ ବିଜାପୁର ସୀମାରେ ଗୁଳିବିନିମୟ ଜାରି  । ଇନ୍‌ସାସ୍‌ ରାଇଫଲ ସମେତ ବିପୁଳ ମାରଣାସ୍ତ୍ର ଜବତ ।

ଗତକାଲି  ଛତିଶଗଡ ଦାନ୍ତେୱାଡା ରେ ଯବାନଙ୍କ ଏନକାଉଣ୍ଟରରେ ମଧ୍ୟ ୩ ମାଓବାଦୀ ନିପାତ ହୋଇଥିଲେ । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମରେ ଟଳି ପଡିଥିଲେ ୩ ମାଓବାଦୀ । ବିଜାପୁର-ଦାନ୍ତେୱାଡା ସୀମାବର୍ତ୍ତୀ ଜଂଗଲ ରେ ଗୁଳି ବିନିମୟ ଚାଲିଥିଲା । କେବଳ ସେତିକି ନୁହେଁ ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରିଥିଲେ ସୁରକ୍ଷା କର୍ମୀ ।

ସେହିପରି  ଏନକାଉଣ୍ଟର ଭୟରେ ଆତ୍ମସମର୍ପଣ  କରିଛନ୍ତି ମାଓବାଦୀ  । ଛତିଶଗଡ଼ ବିଜାପୁର ଏସ୍‌ପିଙ୍କ ନିକଟରେ ୫୦ ମାଓବାଦୀଙ୍କ ଆତ୍ମସମର୍ପଣ । ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁ ରେ ରହିଛି ୬୮ଲକ୍ଷ ଟଙ୍କା ପୁରସ୍କାର । ସୁକୁମାରେ ଏନକାଉଣ୍ଟରରେ ୧୭ ନକ୍ସଲ ନିହତ ହେବାର ୨୪ ଘଣ୍ଟା ନପୁରୁଣୁ ୫୦ ମାଓବାଦୀ ଆତ୍ମସମର୍ପଣ କରିବା ମାଓ ସଂଗଠନକୁ ଶକ୍ତ ଝଟକା ଦେଇଛି । ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ପିଏଲଜିଏ ସଦସ୍ୟ, ଏସିଏମ, ଜନତାନା ସରକାର ଅଧ୍ୟକ୍ଷ, କେଏଏମଏସ ଅଧ୍ୟକ୍ଷ, ସିଏନଏମ ଅଧ୍ୟକ୍ଷ, ମିଲିସିଆ କମାଣ୍ଡର, ଡେପୁଟି କମାଣ୍ଡର, ମିଲିସିଆ ପ୍ଲାଟୁନ ସଦସ୍ୟ ରହିଛନ୍ତି ।

ସୁରକ୍ଷାକର୍ମୀଙ୍କ ଲଗାତାର ଚଢ଼ାଉ ଓ ଏନକାଉଣ୍ଟର ଯୋଗୁଁ ଜୀବନ ବଞ୍ଚାଇବାକୁ ମାଓବାଦୀମାନେ ଆତ୍ମସମର୍ପଣ କରିଥିବା ଜଣାପଡିଛି । ଚଳିତ ବର୍ଷ ୧୫୩ ନକ୍ସଲ ଗିରଫ ହୋଇଥିବା ବେଳେ ୧୫୭ ଜଣ ଆତ୍ମସମର୍ପଣ କରିଛନ୍ତି । ଦାନ୍ତେୱାଡା ଡିଆଇଜି, ବିଜାପୁର ଏସ୍‌ପିଙ୍କ ନିକଟରେ ୫୦ ମାଓବାଦୀ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ନୀତି ଅନୁସାରେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଏଥିସହ ସରକାରଙ୍କ ନୀତି ଅନୁସାରେ ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରାଯିବ ବୋଲି ବିଜାପୁର ପୋଲିସ କହିଛି ।

 

Leave a comment