ମହିମାଗାଦିର ଉନ୍ନତୀକରଣ ପାଇଁ ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ
ଢେଙ୍କାନାଳ : ଓଡ଼ିଶାର ପ୍ରସିଦ୍ଧ ମହିମା ପୀଠ ଯୋରନ୍ଦାଠାରେ ଉପାସନା ପୀଠ ଓ ବତୀ ମଣ୍ଡପ ନିର୍ମାଣ, ଭବ୍ୟ ମହିମା ଗାଦି ଶୂନ୍ୟ ମଣ୍ଡପ ନିର୍ମାଣ ଏବଂ ମହିମା ଗାଦି ଚତୁପାର୍ଶ୍ୱ ଉନ୍ନତିକରଣ କାର୍ଯ୍ୟର ଭୂମି ପୂଜନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଯୋରନ୍ଦାଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ହେଉଛି ଦେବ ଭୂମି ଓ ପୂଣ୍ୟ ଭୂମି। ମହିମା ଧର୍ମ ଯୋରନ୍ଦା ମାଟିକୁ ପବିତ୍ର କରିବା ସହ ପ୍ରସିଦ୍ଧି ଆଣି ଭାରତର ଆଧ୍ୟାତ୍ମିକ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେଇଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ସାରା ବିଶ୍ୱକୁ ଏକ ପରିବାର ଭାବରେ ଗ୍ରହଣ କରି ମହିମା ଧର୍ମ ସରଳ ଜୀବନ, ସମ୍ୟତା ଓ ଜଗତକଲ୍ୟାଣରେ ବିଶ୍ୱାସ କରେ। ମହିମା ଧର୍ମର ମହାନ ସନ୍ଥ ଭୀମ ଭୋଇଙ୍କ ବାର୍ତ୍ତା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ। ଜଗତକଲ୍ୟାଣ ପାଇଁ ନିଜକୁ ଉତ୍ସର୍ଗ କରିବାର ଚିନ୍ତାଧାରା ଆମକୁ ମହିମା ଧର୍ମ ଶିକ୍ଷା ଦେଇଛି ବୋଲି କହି ମହିମା ଧର୍ମପୀଠର ଉନ୍ନତି ପାଇଁ ୧୧୨ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ରାଜ୍ୟ ଇସ୍ପାତ ଓ ଖଣି ଏବଂ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ କହିଥିଲେ ଯେ ଢେଙ୍କାନାଳ ଜିଲ୍ଲା ଓଡିଶାକୁ ମହିମା ଧର୍ମ ଦେଇଛି। ଏହି ଧର୍ମର ପ୍ରସାର ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ସହଯୋଗ ଯୋଗାଇ ଦେଇ ମହିମା ଧର୍ମ ପ୍ରତି ତାଙ୍କର ଆନ୍ତରିକତାକୁ ପ୍ରଦର୍ଶନ କରିଛନ୍ତି।