ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର:ଉତ୍କଳ ଗୌରବ ମଧୁସୂଦନ ଦାସ
ଓଡ଼ିଆ ଜାତୀୟତାର ପ୍ରମୁଖ ମନ୍ତ୍ରଦାତା ମଧୁବାବୁ ଙ୍କ ଜନ୍ମଦିନରେ ବିଭିନ୍ନ ସ୍ଥାନରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ବିଭିନ୍ନ ଦଳ ପକ୍ଷରୁ ଏବଂ ସଂଗଠନ ପକ୍ଷରୁ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ୨୮ ଏପ୍ରିଲ ୧୮୪୮ ମସିହାରେ କଟକ ଜିଲ୍ଲା ସାଲେପୁର ସତ୍ୟଭାମାପୁର ଗାଁରେ ଜନ୍ମଗ୍ରହଣ କରିଥିଲେ ମଧୁସୁଦନ । ସେଥିଲେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର । ଓଡ଼ିଶାର ପ୍ରଥମ ବାରିଷ୍ଟର, ପ୍ରଥମ ଓଡ଼ିଆ ଗ୍ରାଜୁଏଟ, ପ୍ରଥମ ଓଡ଼ିଆ ଏମ.ଏ., ପ୍ରଥମ ଓଡ଼ିଆ ବିଲାତ ଯାତ୍ରୀ, ଓଡ଼ିଶାର ପ୍ରଥମ ଏଲ.ଏଲ.ବି., ପ୍ରଥମ ବିହାର-ଓଡ଼ିଶା ବିଧାନସଭା ସଦସ୍ୟ, ପ୍ରଥମ ମନ୍ତ୍ରୀ, ପ୍ରଥମ ଜିଲ୍ଲା ପରିଷଦ ବେସରକାରୀ ସଦସ୍ୟ ଏବଂ ଭାଇସରାୟଙ୍କ ପରିଷଦର ପ୍ରଥମ ସଦସ୍ୟ । ଓଡ଼ିଶାର ବିଚ୍ଛିନ୍ନାଞ୍ଚଳର ଏକତ୍ରୀକରଣ ପାଇଁ ସେ ସାରା ଜୀବନ ସଂଗ୍ରାମ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଭିତ୍ତିରେ ପ୍ରଥମ ଭାରତୀୟ ରାଜ୍ୟ ଭାବେ ଓଡ଼ିଶାର ପ୍ରତିଷ୍ଠା ହୋଇଥିଲା । ଓଡ଼ିଆ ଭାଷାର ପରିଚୟ ସହ ଏକ ଭାଷାଭିତ୍ତିକ ରାଜ୍ୟ ଗଠନର ସେ ଥିଲେ ମୁଖ୍ୟ ପୁରୋଧା । ଓକିଲ ହେବାପରେ ମଧୁବାବୁ ପ୍ରଥମେ ଚବିଶ ପ୍ରଗଣା ଅନ୍ତର୍ଗତ ଆଲିପୁର କୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ପରେ ସେ କଲିକତା ହାଇକୋର୍ଟରେ ବାରିଷ୍ଟର ଜେଟି ଉଡ୍ରଫଙ୍କ ସହଯୋଗୀ ଭାବେ ଓକିଲାତି କରିଥିଲେ । ୧୨ ସେପ୍ଟେମ୍ବର ୧୮୮୧ରେ କଲିକତାରୁ ଫେରି ସେ କଟକରେ ଓକିଲାତି କଲେ । ଓକିଲ ମହଲରେ ପ୍ରଥମେ ତାଙ୍କୁ ଅନେକ ପରିହାସର ସାମନା କରିବାକୁ ହୋଇଥିଲେ । କିନ୍ତୁ ଖଣ୍ଡପଡ଼ା ରାଜାଙ୍କ ମୋକଦ୍ଦମା, କେନ୍ଦୁଝରା ରାଜାଙ୍କ ମୋକଦ୍ଦମା, ଶ୍ରୀମନ୍ଦିର ପରିଚାଳନା ବିବାଦ ଭଳି କେତେକ ଜଟିଳ ମୋକଦ୍ଦମାରେ ନିଜର ଦକ୍ଷତାର ପରିଚୟ ଦେଇ ସେ ନିଜକୁ କଟକ ଓକିଲମାନଙ୍କ ଭିତରେ ଶ୍ରେଷ୍ଠ ପ୍ରମାଣିତ କରି ପାରିଥିଲେ । ଉତ୍କଳର ଗଜପତି ଦିବ୍ୟସିଂହ ଦେବ, ସାଧୁ ଶିବାଦାସ\’ଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ ନିର୍ବାସନ ଦଣ୍ଡରେ ଦଣ୍ଡିତ ହୋଇଥିଲେ । ତାଙ୍କ ପୁତ୍ର ଜଗନ୍ନାଥ ଜେନାମଣି (ପରେ ମୁକୁନ୍ଦ ଦେବ ଭାବେ ପରିଚିତ) ନାବାଳକ ଥିବାରୁ ମନ୍ଦିର ପରିଚାଳନାରେ ତୃଟି ଦର୍ଶାଇ, ମନ୍ଦିରର ବଂଶାନୁକ୍ରମିକ ପରିଚାଳନା ଭାର କାଢି ନେବା ନିମନ୍ତେ ଏକ ଦେବାନୀ ମୋକଦ୍ଦମା ଦାଏର କରିଥିଲେ । ମଧୁବାବୁ ଜଗନ୍ନାଥ ଜେନାମଣିଙ୍କ ମାତାତାମହୀ ସୂର୍ୟ୍ୟମଣୀ ପାଟ ମହାଦେଇଙ୍କ ତରଫରୁ ପ୍ରତିବାଦୀ ଭାବରେ, ବ୍ରିଟିଶ ସରକାର ଧର୍ମରେ ଅଯଥା ହସ୍ତକ୍ଷେପ କରୁଛନ୍ତି ବୋଲି ମୋକଦ୍ଦମା ଲଢ଼ି ଜୟ ଲାଭ କରିଥିଲେ । ସେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୋଇଥିଲେ ମଧ୍ୟ ଏହି ମୋକଦ୍ଦମାଟି ବିନା ପାରିଶ୍ରମିକରେ ଲଢ଼ିଥିଲେ ।
୬ ଜାନୁଆରୀ ୧୯୨୧ ମସିହାରେ ମଧୁବାବୁ ବିହାର ଓଡ଼ିଶାର ମନ୍ତ୍ରୀରୂପେ ନିଯୁକ୍ତି ପାଇଥିଲେ । ସେତେବେଳେ ମନ୍ତ୍ରୀମାନଙ୍କୁ ମାସିକ ବେତନ ମିଳୁଥିଲା । ଇଂରେଜ ସରକାରଙ୍କଠାରୁ ଦରମା ନେଇ କାମ କଲେ ଲୋକଙ୍କୁ ନିରପେକ୍ଷ ସେବା ଦେବା ସମ୍ଭବ ନୁହେଁ ବୋଲି ଯୁକ୍ତି କରି ସେ ଅବୈତନିକ ମନ୍ତ୍ରୀପଦ ପାଇଁ ପ୍ରସ୍ତାବ ରଖିଥିଲେ । ସରକାର ଏଥିରେ ରାଜି ନ ହେବାରୁ ୯ ମାର୍ଚ୍ଚ ୧୯୨୩ରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ