ଆସନ୍ତାକାଲି ଜାଗର,ଚଳଚଞ୍ଚଳ ହେଲାଣି ସବୁ ଶୈବପୀଠ
ମେଟ୍ରୋ ଟିଭି ଓଡିଶା (୨୮ .୨.୨୦୨୨)
: ଆସନ୍ତାକାଲି ଜାଗର । ସବୁ ଶୈବପୀଠ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ମହାଶିବରାତ୍ରିରେ ଶ୍ରୀଲିଙ୍ଗରାଜ ମନ୍ଦିର ଶ୍ରଦ୍ଧାଳୁମାନେ କୋଭିଡ୍ ନିୟମ ମାନି ମନ୍ଦିରକୁ ପ୍ରବେଶ କରିବେ। ସେବାୟତ, ମନ୍ଦିର କର୍ମଚାରୀ, ପୁଲିସ ଓ ଶ୍ରଦ୍ଧାଳୁ ମାସ୍କ ବ୍ୟବହାର କରିବା ସହ ହାତ ସାନିଟାଇଜ୍ କରିବେ। ଭକ୍ତ ମାନେ ଧାଡ଼ି ବାନ୍ଧି ପ୍ରବେଶ କରିବ ବେଳେ ୬ଫୁଟ୍ ସାମାଜିକ ଦୂରତା ରକ୍ଷା କରିବେ। ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ ସୌନ୍ଦର୍ଯ୍ୟୀକରଣ ହୋଇଥିବାରୁ ଓ କରୋନା କମୁଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ। ମନ୍ଦିର ବାହାରେ ଟ୍ରାଫିକ୍ ଓ ଆଇନ ଶୃଙ୍ଖଳା ରକ୍ଷା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ସେହିପରି ମନ୍ଦିର ତିନି ପାର୍ଶ୍ୱ ଦ୍ୱାରା ମୁହଁରେ ଆମ୍ବୁଲାନ୍ସ ଓ ଷ୍ଟ୍ରେଚର ରଖାଯିବ। ସନ୍ଦେହ ଉପୁଜିଲେ ଆଣ୍ଟିଜେନ୍ ଟେଷ୍ଟ୍ କରାଯିବ। ଚଳିତ ବର୍ଷ ମହାଶିବରାତ୍ରିରେ ୪ ସିଫ୍ଟରେ ୪୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବେ।

ସେହିପରି ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ଚଳଚଞ୍ଚଳ ହୋଇଛି । ପବିତ୍ର ପଙ୍କୋଦ୍ଧାର ଏକାଦଶୀ ଅବସରରେ ଶ୍ରୀଲୋକନାଥ ଦେବଙ୍କ ପୀଠରେ ସର୍ବବୃହତ ଜଗତ ମଙ୍ଗଳ ଜାଗରଦୀପ ପ୍ରଜ୍ୱଳିତ ହୋଇଛି। ପାର୍ବତୀ ସାଗର ନିକଟରେ ଏହି ଦୀପକୁ ପ୍ରଜ୍ୱଳିତ କରାଯାଇଛି। ଏହି ବୃହତ ଦୀପ ଶିବରାତ୍ରୀ ପର୍ଯ୍ୟନ୍ତ ପ୍ରଜ୍ୱଳିତ ହେବ। ଛଅଫୁଟ ଲମ୍ବ, ୪ଫୁଟ ଓସାର ଏବଂ ଅଢେଇ ଫୁଟ ଗଭୀର ଏହି ବୃହତ ଦୀପରେ ପ୍ରାୟ ଅଢେଇ କୁଇଣ୍ଟାଲ ଘିଅ ଢଳାଯିବା। ପବିତ୍ର ଶିବରାତ୍ରି ବା ଜାଗରରେ ମହାଦୀପ ଉଠିବା ପରେ ଏହି ବୃହତ ଦୀପକୁ ପାର୍ବତୀ ସାଗରରେ ବିସର୍ଜନ କରାଯିବ। ଅନ୍ୟପଟେ ବାବା ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ପ୍ରସ୍ତୁତି ଚୂଡାନ୍ତ ସମୟରେ ପହଞ୍ଚିଛି ।

ବାବା ଆଖଣ୍ଡଳମଣିଙ୍କ ଜାଗରଯାତ୍ରା ନୀତିକାନ୍ତି ଅନୁଯାୟୀ, ମଙ୍ଗଳବାର ଦିନ ଭୋର ୪ଟାରେ ଆଳତୀ। ଭୋର ୪ଟା ୩୦ମି. କନିକାରାଜାଙ୍କର ପହିଲି ଘର୍ଷଣଲାଗି । ଏହାପରେ ସକାଳ ୫ଟାରେ ପାଳିଆ ସେବାୟତ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି। ସକାଳ ୫ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ। ସେହିପରି ରାତି ୧୧ଟା ଚତୁର୍ଥପ୍ରହର ପୂଜା , ଘୃତସ୍ନାନ, ଘର୍ଷଣଲାଗି, ୧୦୮କଳସ ଜଳଲାଗି, ପଞ୍ଚ ଉପଚାର ପୂଜା। ରାତି ୧୨ଟା ମଣିବାବାଙ୍କ ସୁନାବେଶ ଆରମ୍ଭ ହୋଇ ରାତି ୧ଟା ୩୦ମି. ସୁନାବେଶ ସମ୍ପନ୍ନ ହେବ । ଏହିସମୟରେ ସର୍ବସାଧାରଣ ଦର୍ଶନ ମନା ରହିଛି । ଶେଷରେ ରାତି ୨ଟାରେ ମହାଦୀପ ଉଠିବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ରାତି ୩ଟା ୧୫ମି. ମହାଦୀପ ଷୋଡଶ ଉପଚାରରେ ପୂଜାରେ ପ୍ରତିଷ୍ଠା, ଅଗ୍ନି ସଂଯୋଗ ଏବଂ ଯଜ୍ଞ ହେବ। ଭୋର ୪ଟାରେ ମହାଦୀପ ବେଢା ପରିକ୍ରମା କରିବା ପରେ ଭୋର ୪ଟା ୩୦ମି ରୁ ୫ଟା ମଧ୍ୟରେ ମହାଦୀପ ମନ୍ଦିରଚୂଡାରେ ସ୍ଥାପନ ହେବ ।