ଆସନ୍ତାକାଲି ଝାରସୁଗୁଡ଼ାରେ କିଏ ମାରିବ ବାଜି !

ଝାରସୁଗୁଡା: ଆସନ୍ତାକାଲି କିଏ ମାରିବ ବାଜି । କଂଗ୍ରେସ, ବିଜେପି, ବିଜେଡ଼ ନେତାମାନେ ଜିତିବେ ବୋଲି କହୁଛନ୍ତି । କିନ୍ତୁ କିଏ ଜିତିବ ତାହା  ଭୋଟ ଗଣତି  ପ୍ରକାଶ ପାଇବା ପରେ ଜଣାପଡିବ ।  ଝାରସୁଗୁଡା ଫଳାଫଳ ପାଇଁ ଏବେ ତିନି ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ ହେଉଛି । ସେପଟେ  ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।  ଫଳାଫଳ ଘୋଷଣା କାର୍ଯ୍ୟ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ସିଇଓ ନିକୁଞ୍ଜ ବିହାରୀ ଧଳ କହିଛନ୍ତି  ଝାରସୁଗୁଡା ସ୍ଥିତ ଇଞ୍ଜିନିୟରିଙ୍ଗ କଲେଜରେ ମତଗଣନା ହେବ ।  ସକାଳ ୮ଟାରୁ ଆରମ୍ଭ ହେବ ଗଣନାକାର୍ଯ୍ୟ । ୧୫୩ ବୁଥ ଥିବାରୁ ୧୯ ରାଉଣ୍ଡ ଗଣନା ହେବ ।  ୪ଟା ଭିତରେ ଫଳାଫଳ ଆସିଯାଇପାରେ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ସରିବା ପରେ  ୮.୩୦ରୁ ଇଭିଏମ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି ।  ମତ ଗଣନାକୁ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ ।