ବଦଳିଲେ ଯାଜପୁର ଏସଡ଼ିପିଓ

ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ, ବିରଜା ହାଟ ପୁନଃ ଅବସ୍ଥାନକୁ ନେଇ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଥିବା ବେଳେ ହଠାତ୍‌‌ ଯାଜପୁର ଏସ୍‌‌ଡିପିଓ ସତ୍ୟବ୍ରତ ଲେଙ୍କାଙ୍କୁ କଟକ ମୁଖ୍ୟାଳୟକୁ ବଦଳି କରାଯାଇଛି। ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ସହିତ ତାଙ୍କ ସ୍ଥାନରେ ଡିଏସ୍‌‌ପି କୈଳାଶ ଚନ୍ଦ୍ର ସେଠୀଙ୍କୁ ଯାଜପୁର ଏସ୍‌‌ଡିପିଓ ଦାୟିତ୍ୱରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ପୁଲିସ ଉଚ୍ଚ ଅଧିକାରୀ ବିଧାୟକଙ୍କ ଉପରେ ଆକ୍ରମଣ ଓ ହାଟ ପୁନଃ ଅବସ୍ଥାନକୁ ଘଟଣାରେ ଏସ୍‌‌ଡିପିଓଙ୍କ କାର୍ଯ୍ୟଧାରାରେ ସନ୍ତୁଷ୍ଟ ନଥିବା ନେଇ ଆଲୋଚନା ହୋଇଥିଲା । ଫଳସ୍ୱରୂପ ତାଙ୍କୁ ତୁରନ୍ତ ବଦଳି କରାଯାଇଥିବା ଚର୍ଚ୍ଚା ହେଉଛି। ଏପରିକି ବିଭିନ୍ନ ଆଇନ ଶୃଙ୍ଖଳା ସମୟରେ ଏସ୍‌‌ଡିପିଓ ଶ୍ରୀ ଲେଙ୍କା ଅନୁପସ୍ଥିତ ରହୁଥିବା ନେଇ ଆଲୋଚନା ହେଉଥିଲା । ଅବଶ୍ୟ ଏ କଥାକୁ ଶ୍ରୀ ଲେଙ୍କା ଅସ୍ୱୀକାର କରିଛନ୍ତି। କିନ୍ତୁ ତାଙ୍କ ବଦଳି ଓ ତୁରନ୍ତ ନୂତନ ସ୍ଥାନରେ ଯୋଗ ଦେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।