ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ

ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ । ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପ୍ରଦର୍ଶନୀକୁ ଦେଖିପାରିବେ । ଏହା ସାଧାରଣ ଲୋକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ସମ୍ପୂର୍ଣ୍ଣ ଦେୟମୁକ୍ତ । ସାଂସ୍କୃତିକ କାର୍ୟ୍ୟକ୍ରମ ସହ ବିଭିନ୍ନ ଗ୍ୟାଲେରୀର ରହିଥିବା ଷ୍ଟଲ ବୁଲି ଦେଖି ପାରିବେ ବୋଲି ଶୁକ୍ରବାର ପ୍ରବାସୀ ଭାରତୀୟ ସମ୍ମିଳନୀର ଶେଷ ଦିନରେ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ପର୍ଯ୍ୟଟନରୁ ଆରମ୍ଭ କରି ବିଜ୍ଞାନ ପର୍ୟ୍ୟନ୍ତ ଏହି ପ୍ରଦର୍ଶନୀରେ ବହୁ ଶିକ୍ଷଣୀୟ ଜିନିଷ ରହିଥିବାରୁ ସମସ୍ତେ ଏହାକୁ ଦେଖିବା ଉଚିତ୍ ବୋଲି ଉପମୁଖ୍ୟମନ୍ତ୍ରୀ ପରିଡା କହିଥିଲେ । ପ୍ରବାସୀ ଭାରତୀୟ କାର୍ୟ୍ୟକ୍ରମ ପ୍ରଦର୍ଶନୀକୁ ୨ ରୁ ୩ ଦିନ ଯାଏଁ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ ।  ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।