କଟକ: ହାଇକୋର୍ଟରୁ ବିଧାୟକ ମୋକିମଙ୍କୁ ମିଳିଛି ବଡ଼ ରିହାତି । ଓଆରଏଚଡିସି ମାମଲାରେ ବିଧାୟକ ମହମ୍ମଦ ମୋକିମ୍ଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଆସନ୍ତା ୧୩ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ। ଭିଜିଲାନ୍ସ କୋର୍ଟ ମହମ୍ମଦ ମୋକିମ୍ଙ୍କୁ ଶୁଣାଇଥିବା ଦଣ୍ଡାଦେଶ ଉପରେ ରହିତାଦେଶ ଦେବା ସହ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏହା ଫଳରେ ବିଧାୟକଙ୍କ ପଦ ନେଇ ସୃଷ୍ଟି ହୋଇଥିବା ବିପଦ ଟଳିଯାଇଛି ।
କଟକ ବାରବାଟୀ ବିଧାୟକ ତଥା ମେଟ୍ରୋ ବିଲ୍ଡର୍ସର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ ମୋକିମ୍ଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ କରିଥିଲେ ଭିଜିଲାନସ କୋର୍ଟ । ତେବେ ଋଣ ନେଇ ଟଙ୍କା ସୁଝିଥିବା ରେକର୍ଡ ସହ ହାଇକୋର୍ଟରେ ଆବେଦନ କରିଥିଲେ ବିଧାୟକ ମୋକିମ । ତଥ୍ୟ ପ୍ରମାଣ ଦେଖିବା ପରେ ହାଇକୋର୍ଟ ଏହି ମାମଲା ଶୁଣାଣି ଯୋଗ୍ୟ ବୋଲି କହିବା ସହ ତଳ କୋର୍ଟର ରାୟ ଉପରେ ରହିତାଦେଶ ଜାରି କରିଛନ୍ତି । ଏହି ମାମଲାରେ ଅନ୍ୟମାନଙ୍କୁ ମଧ୍ୟ କୋର୍ଟଙ୍କ ପକ୍ଷରୁ ରିହାତି ମିଳିଛି । ଭିଜିଲାନ୍ସ କୋର୍ଟର ଏହି ଦଣ୍ଡକୁ ଖାରଜ ପାଇଁ ଅନୁରୋଧ କରି ବିଧାୟକ ମୋକିମ୍ ମାମଲା ରୁଜୁ କରିଛନ୍ତି। ତେବେ ହାଇକୋର୍ଟ ଏହି ମାମଲାକୁ ଏବେ ଆଉ ଥରେ ଶୁଣାଣି କରିବାକୁ ତାରିଖ ସ୍ଥିର କରିଥିବାରୁ ସମସ୍ତେ ଏହି ମାମଲାରେ ନିଜ ନିଜର ପକ୍ଷ ରଖିପାରିବେ । ତଳ କୋର୍ଟର ଆଦେଶ ରଦ୍ଦ ଉପରେ ଆସନ୍ତା ୧୩ ତାରିଖରେ ଏନେଇ ଶୁଣାଣି ଜାରି ରଖିବେ ହାଇକୋର୍ଟ ।

ଏଠାରେ ସୂଚନାଯୋଗ୍ୟ ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ରାୟକୁ ବିରୋଧ କରି ବିଧାୟକ ମହମ୍ମଦ ମୋକିମ ହାଇକୋର୍ଟରେ ଅପିଲ କରିବେ ବୋଲି କହିଥିଲେ । ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମୋକିମଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାରେ ସମସ୍ତ ତଥ୍ୟ କୋର୍ଟଙ୍କ ସମ୍ମୁଖରେ ରଖିଥିଲେ । ମାମଲାର ଗୁରୁତ୍ବକୁ ଉପଲବ୍ଧି କରି ତାଙ୍କର ଅପିଲକୁ ବିଚାର ପାଇଁ ହାଇକୋର୍ଟର ବିଚାରପତି ବିଭୁ ପ୍ରସାଦ ରାଉତରାୟ ମାମଲାକୁ ଗ୍ରହଣ କରି ନିମ୍ନ ଅଦାଲତରୁ ରେକର୍ଡ ତଲବ କରିଛନ୍ତି।

ଆଜି ହାଇକୋର୍ଟ ମହମ୍ମଦ ମୋକିମଙ୍କ ଆଦେବନର ଶୁଣାଣି କରିଥିଲେ । ଏହା ସହ ମାମଲାକୁ ମଧ୍ୟ ବିଚାର ଲାଗି ଗ୍ରହଣ କରିଥିଲେ। ଅପିଲ ବିଚାରାଧୀନ ଥିବାରୁ ତାଙ୍କୁ ଜାମିନରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଭିଜିଲାନ୍ସ ଆଦଲତଙ୍କ ଜରିମାନା ଉପରେ ମଧ୍ୟ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ଏଥିସହ ୧ ଲକ୍ଷ ଟଙ୍କା ଓ ଦୁଇ ଜଣ ଜାମିନଦାରଙ୍କ ବଦଳରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ନିମ୍ନ ଅଦାଲତଙ୍କ ଜେଲଦଣ୍ଡ ଉପରେ ରୋକ ପାଇଁ ମୋକିମ କରିଥିବା ଆବେଦନ ବିରୋଧରେ ଭିଜିଲାନ୍ସ ବିଭାଗ ଲିଖିତ ମତାମତ ରଖିଛି। ଏହାର କପି ଆବେଦନକାରୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟଙ୍କୁ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆଗାମୀ ୧୩ ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ(ଓଆରଏଚଡିସି) ମାମଲାର ଶୁଣାଣି କରି ଭିଜିଲାନ୍ସ କୋର୍ଟ ବିଧାୟକଙ୍କୁ ୩ବର୍ଷ ଜେଲ୍ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ। ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ସତ୍ୟନାରାୟଣ ଷଡ଼ଙ୍ଗୀ ଏହି ରାୟ ଦେଇଥିଲେ। ଅପରପକ୍ଷେ ଏହି ମାମଲାର ରାୟ ପ୍ରକାଶ ପାଉ ପାଉ ବିଧାୟକ ମୋକିମ୍ଙ୍କୁ ଭିଜିଲାନ୍ସ କୋର୍ଟରୁ ଜାମିନ୍ ମଧ୍ୟ ସେହିଦିନ ମିଳି ଯାଇଥିଲା।
ସୂଚନାଯୋଗ୍ୟ, ୨୯ ସେପ୍ଟେମ୍ବରରେ ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଆଉ ଏନେଇ କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଅକ୍ଟୋବର ୨ରେ ବିଧାୟକ ମୋକିମ୍ ତଳ କୋର୍ଟଙ୍କ ଦଣ୍ଡାଦେଶ ବିରୋଧରେ ହାଇକୋର୍ଟ ଯାଇଥିଲେ ।

ବିଧାୟକଙ୍କ ସୂଚନା ଅନୁସାରେ ମେଟ୍ରୋ ବିଲଡର ଓଆରଏଚ୍ଡିସି ରୁ ତିନି ଥର ଲୋନ ନେଇ ପରିଶୋଧ କରିଥିଲା । ପ୍ରଥମେ ୩୫ ଲକ୍ଷ ଟଙ୍କା ଲୋନ ନେଇ ୧୯୯୬ ମସିହାରେ ପରିଶୋଧ କରିଥିଲା ଲୋନ । ପରେ ୫୦ ଲକ୍ଷ ଟଙ୍କାର ଲୋନ ଆଣି ୧୯୯୮ରେ ପରିଶୋଧ କରିଥିଲା । ଏହାପରେ ଏକ କୋଟି ଟଙ୍କାର ଲୋନ ଆଣି ୨୦୦୦ ମସିହାରେ ଲୋନ ପରିଶୋଧ କରିଥିଲା । ତିନି ଥର ଲୋନ ଆଣି ସୁଧମୂଳ ପରିଶୋଧ କରିଥିଲା ମେଟ୍ରୋ ବିଲଡର । ପରେ ଦେଢ଼ କୋଟି ଟଙ୍କା ଲୋନ ଆଣିଥିଲା କଂପାନି । ଦେଢ଼ କୋଟି ଆଣିବା ପରେ ଏକ କୋଟି ୩୭ ଲକ୍ଷ ଟଙ୍କା ସୁଝିବା ପରେ ଓଆରଏଚ୍ଡିସିରେ ଦୁର୍ନୀତି ଅଭିଯୋଗ ହୋଇଥିଲା ଏବଂ ଭିଜିଲାନସ ମାମଲାକୁ ଗ୍ରହଣ କରିଥିଲା । ବିଧାୟକ ମହମ୍ମଦ ମୋକିମଙ୍କ କହିବା କଥା ତାଙ୍କ କଂପାନି ଲୋନ ଆଣିଥିଲା ଏବଂ ତିନିଟି ଲୋନ ମଧ୍ୟ ପରିଶୋଧ କରିଥିଲା । ଚତୁର୍ଥ ଲୋନ ଆଣି ମଧ୍ୟ ପରିଶୋଧ କରୁଥିଲା । କିନ୍ତୁ ଭିଜିଲାନସ ମାମଲା କରିବାକୁ ଆଉ କିଛି ଲୋନ ପେଣ୍ଡିଙ୍ଗ ରହିଲା । ଏଥିରେ କଂପାନିର କି ଦୋଷ ରହିଲା ବୋଲି ବିଭିନ୍ନ ଗଣମାଧ୍ୟମରେ କହିଥିଲେ ବିଧାୟକ । ୨୦୦୯ର ଏହି ଋଣ ମାମଲା ରେ ତାଙ୍କ କଂପାନି କିଛି ବେଆଇନ କାମ କରିନାହିଁ । ଏହି ମାମଲା ଏବେ ହାଇକୋର୍ଟ ଶୁଣାଣି ହେବ । ହାଇକୋର୍ଟରୁ ତାଙ୍କ କଂପାନିକୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ବିଧାୟକ ମହମ୍ମଦ ମୋକିମ ।
