ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ ହୋଇଛି । ବିଦେଶରୁ ବିମାନ ଯୋଗେ ଆସୁଥିବା ଜଣେ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ଓ ଡିଆରଆଇ ୪ କୋଟି ମୂଲ୍ୟର ନିଶା ଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛନ୍ତି । ପୂର୍ବରୁ ଏୟାରପୋର୍ଟରୁ ବିପୁଳ ସୁନା ଜବତ ହେଉଥିବା ବେଳେ ଏବେ ନିଶା ଦ୍ରବ୍ୟ ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ବିମାନରେ ଦାମୀ ନିଶା ଦ୍ରବ୍ୟ ନେଇ ବ୍ୟାକଂକରୁ ବ୍ୟକ୍ତି ଜଣଙ୍କ ଆସୁଥିଲେ । ଅତି ଚତୁରତାର ସହ ଖାଦ୍ୟ ପୁଡ଼ିଆ ଭିତରେ ଲୁଚାଇ ଆଣୁଥିଲେ ନିଶା ଦ୍ରବ୍ୟ । ଖାଦ୍ୟ ପ୍ୟାକେଟ୍‌ରେ ନିଶା ଦ୍ରବ୍ୟ ଆଣୁଥିବା ବେଳେ କେରଳର ବ୍ୟକ୍ତି ଡିଆରଆଇ ହାତରେ ଧରା ପଡ଼ିଛନ୍ତି । ତେବେ ଡିଆରଆଇ ଦେଇଥିବା ସୂଚନା ଅନୁସାରେ, ଧରା ପଡ଼ିଥିବା ବ୍ୟକ୍ତି ଜଣଙ୍କ କମିଶନ ନେଇ ନିଶା ଦ୍ରବ୍ୟ ଚାଲାଣ କରୁଥିଲେ । ଅର୍ଥାତ୍ ଡିଆରଆଇ ହାତରେ ଧରିଥିବା ବ୍ୟକ୍ତି ଜଣଙ୍କ ଜଣେ ନିଶା ଦ୍ରବ୍ୟ ଚାଲାଣକାରୀ । ଏହି ନିଶା ଦ୍ରବ୍ୟ କାରବାରରେ ଆହୁରି ଅନେକ ଅନ୍ତର୍ଜାତୀୟ ନିଶା ମାଫିଆ ସାମିଲ୍ ରହିଛନ୍ତି ।