ବନ୍ଦ ହେଲା ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ
ରାୟଗଡ଼ା: ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲ ବାଟକୁ ବନ୍ଦ କରିଦେଇଛି ପ୍ରଶାସନ । ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ପ୍ରଶାସନ ବାଟ ବନ୍ଦ କରିଥିବା ବେଳେ ଏହାକୁ ସ୍ଥାନୀୟ ବାସିନ୍ଦା କିନ୍ତୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଝୁଲାପୋଲ ନିକଟରେ ବାରମ୍ବାର ଅଘଟଣ ଘଟୁଥିଲା । ଏଣୁ ଏହାକୁ ବନ୍ଦ କରାଯାଇଥିବା ଘୋଷଣା କରାଯାଇଛି ।
୨୦୧୧ ମସିହାରେ ନାଗାବଳୀ ନଦୀ ଉପରେ ଝୁଲାପୋଲ ନିର୍ମାଣ ହୋଇଥିଲା । ଝୁଲାପୋଲ ସାଙ୍ଗକୁ ଏହା ଚାରିପାଖରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟ ଥିବାରୁ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଲା । ହେଲେ ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ଝୁଲାପୋଲ ଡେଥ୍ ଜୋନ୍ରେ ପରିଣତ ହୋଇଗଲା । ଯାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ସୂଚନା ଅଭାବରୁ ଝୁଲାପୋଲ ଉପରେ ଓ ତଳେ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନି ଘଟିଲା ।
ଶେଷରେ ଝୁଲାପୋଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି । କୌଣସି ବ୍ୟକ୍ତି ଏହି ରାସ୍ତା ଓ ପୋଲ ଦେଇ ଯାତାୟାତ କରିପାରିବେ ନାହିଁ ବୋଲି ଘୋଷଣା କରାଯାଇଛି । ଝୁଲାପୋଲ ଦେଇ ରାସ୍ତା ବନ୍ଦ କରାଗଲେ ସେମାନେ କିଭଳି ଯାତାୟାତ କରିବେ ବୋଲି ସ୍ଥାନୀୟ ଲୋକମାନେ ପ୍ରଶ୍ନ କରିଥିଲେ ।