ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି,ଜଙ୍ଗଲ ଜମି ବ୍ୟବହାର ନେଇ ମିଳିଛି ମଞ୍ଜୁରୀ
ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ସବୁଜ ସଙ୍କେତ ମିଳିଛି । ଏହି ବହୁ ପ୍ରତିକ୍ଷିତ ପ୍ରକଳ୍ପ ପାଇଁ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ଜମି ବ୍ୟବହାର ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ‘ନୀତିଗତ ଷ୍ଟେଜ୍-୧’ ଜଙ୍ଗଲ ମଞ୍ଜୁରୀ ମିଳିଛି, ଯାହାଫଳରେ ବିମାନବନ୍ଦର ନିର୍ମାଣ ପ୍ରକ୍ରିୟା ଆଉ ପାଦେ ଆଗକୁ ବଢ଼ିଛି ।ସୂଚନା ଅନୁଯାୟୀ, ପୁରୀରେ ଏହି ଅନ୍ତର୍ଜାତୀୟ ବିମାନବନ୍ଦର ସମୁଦାୟ ୪୭୧ ହେକ୍ଟର ଜମିରେ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଏଥିମଧ୍ୟରେ ପ୍ରାୟ ୨୮ ଏକର ଜଙ୍ଗଲ ଜମି ଏବଂ ସମୁଦ୍ର କୂଳବର୍ତ୍ତୀ କିଛି ଅଞ୍ଚଳ ରହିଛି । ବହୁ ଦିନରୁ ଏହି ଜଙ୍ଗଲ ଜମି ଅନୁମତି ପାଇଁ ଅପେକ୍ଷା କରାଯାଇଥିବା ବେଳେ ଏବେ ସବୁଜ ସଙ୍କେତ ପ୍ରକଳ୍ପକୁ ଗତିଶୀଳ କରିବ ।ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ଏହି ବିମାନବନ୍ଦର ଏକ ମାଇଲଖୁଣ୍ଟ ସଦୃଶ ହେବ । ଏହି ମଞ୍ଜୁରୀ ପରେ ଏବେ ଜମି ଅଧିଗ୍ରହଣ ଏବଂ ନିର୍ମାଣ ପାଇଁ ପରବର୍ତ୍ତୀ ବୈଷୟିକ ପ୍ରକ୍ରିୟା ତ୍ୱରାନ୍ୱିତ ହେବ । ପୁରୀକୁ ବିଶ୍ୱସ୍ତରୀୟ ଐତିହ୍ୟ ସହର ଭାବେ ଗଢ଼ିତୋଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।