ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି,୫ ଜିଲ୍ଲାକୁ ହାଇଆଲର୍ଟ

ମହାନଦୀରେ ମଧ୍ୟମ ବନ୍ୟା ସ୍ଥିତି । ୫ ଜିଲ୍ଲାକୁ ହାଇଆଲର୍ଟ। ଲଗାଣ ବର୍ଷା ଏବଂ ମହାନଦୀର ଉପରମୁଣ୍ଡ ଅଞ୍ଚଳରୁ ବଢ଼ିଥିବା ଜଳପ୍ରବାହ ଯୋଗୁଁ ତଳିଆ ଉପକୂଳ ଓଡ଼ିଶାରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳେ କଟକ ନିକଟସ୍ଥ ମୁଣ୍ଡଳୀ ବ୍ୟାରେଜରେ ଜଳପ୍ରବାହ ୮ରୁ ୯ ଲକ୍ଷ କ୍ୟୁସେକ୍ ମଧ୍ୟରେ ପହଞ୍ଚିବା ପରେ ପ୍ରଶାସନ ସତର୍କତା ବଢ଼ାଇଛି । ଗଭୀର ଅବପାତ ପରେ ତେଲ, ଇବ୍ ଓ ଜିରା ନଦୀରୁ ବଢ଼ିଥିବା ଜଳପ୍ରବାହ ମହାନଦୀର ଜଳସ୍ତରକୁ ଆହୁରି ବଢ଼ାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ହାଇଆଲର୍ଟରେ ରଖାଯାଇଛି ।

ବାଙ୍କୀ, ଆଠଗଡ଼, ବଡ଼ମ୍ବା ଓ ତିର୍ତ୍ତୋଲ ଅଞ୍ଚଳର ତଳିଆ ଗାଁଗୁଡ଼ିକରେ ପାଣି ରାସ୍ତା ଓ ଚାଷଜମିକୁ ପ୍ରବେଶ କରିଛି । ଲଗାଣ ବର୍ଷା ଜନିତ ବନ୍ୟାରେ ରାଜ୍ୟର ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୧.୭୬ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ପ୍ରାୟ ୬୨୦ ଫୁଟ୍ ରେ ଥିବାବେଳେ ତଳମୁଣ୍ଡରେ ବନ୍ୟା ପ୍ରଭାବ କମାଇବା ପାଇଁ ଏକାଧିକ ସ୍ଲୁଇସ୍ ଗେଟ୍ ଦ୍ୱାରା ନିୟନ୍ତ୍ରିତ ଭାବେ ଜଳ ନିଷ୍କାସନ କରାଯାଉଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ୬ଟି ଏନଡିଆରଏଫ୍ , ୧୪ଟି ଓଡ୍ରାଫ୍ ଓ ୧୦୦ରୁ ଅଧିକ ଅଗ୍ନିଶମ ବାହିନୀ ଟିମ୍ ସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ଅଛନ୍ତି ।

ଡଙ୍ଗା ମାଧ୍ୟମରେ ଉଦ୍ଧାର ସହ ରନ୍ଧା ଖାଦ୍ୟ ଓ ଶୁଖିଲା ରାସନ ବଣ୍ଟନ ଜାରି ରହିଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡ଼ିକର ସମସ୍ତ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ବନ୍ଦ ରଖାଯାଇଛି। ନଦୀକୂଳରେ ମାଛଧରା, ଡଙ୍ଗା ଚଳାଚଳ ଏବଂ ଜନସମାଗମ ଉପରେ କଟକଣା ଜାରି ହୋଇଥିବାବେଳେ ବନ୍ଧଗୁଡ଼ିକର ସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ୨୪ ଘଣ୍ଟିଆ ନଜର ରଖାଯାଉଛି ।

Leave a comment