ଶିକ୍ଷକଙ୍କୁ ମିଳିଲା ନିଯୁକ୍ତିପତ୍ର: ମୁଖ୍ୟମନ୍ତ୍ରୀ କହିଲେ ପୁଣି ହେବ ଶିକ୍ଷକ ନିଯୁକ୍ତି

୧୬ ହଜାର ୯ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୁଣି ଶିକ୍ଷକ ନିଯୁକ୍ତି ହେବେ ।  ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନବ ନିଯୁକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଶିକ୍ଷକ ହେଉଛନ୍ତି ଜଣେ ଜଣେ ମଣିଷ ଗଢ଼ା ଶିଳ୍ପୀ। ଶିକ୍ଷକତା ହେଉଛି ଏ ଦୁନିଆରେ ସବୁଠୁ ମହତ କାର୍ଯ୍ୟ, ସବୁଠାରୁ ସମ୍ମାନସ୍ପଦ ବୃତ୍ତି। ନବନିଯୁକ୍ତ ଶିକ୍ଷକମାନେ ଶିକ୍ଷକତାକୁ ପେଶା ନୁହେଁ, ନିଶା ଭାବେ ଗ୍ରହଣ କରନ୍ତୁ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଗାମୀ ଦିନରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ମୁଖ୍ୟ ସୂତ୍ରଧର ହେବେ। ସମାଜକୁ ସଶକ୍ତ ଓ କଲ୍ୟାଣ କରିବା ଦିଗରେ ଶିକ୍ଷକଙ୍କ ଗୁରୁ ଦାୟିତ୍ୱ ରହିଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳମଣି ମଧୁସୂଦନ ଦାସଙ୍କ ପରି ଅନେକ ମହାପୁରୁଷ ମଧ୍ୟ ଶିକ୍ଷକଙ୍କ ମାର୍ଗଦର୍ଶନରେ ଆମ ଜାତିକୁ ଗୌରବାନ୍ୱିତ କରିଛନ୍ତି। ରାଜ୍ୟରେ ପ୍ରାୟ ୬୨ ହଜାର ସରକାରୀ ଓ ବେସରକାରୀ ସ୍କୁଲରେ ୩ ଲକ୍ଷ ୩୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ସେହି ପୃଷ୍ଠଭୂମିରେ ୧୬ ହଜାର ୯ ଜଣ ନୂଆ ବିନ୍ଧାଣୀ ଯୋଡ଼ି ହୋଇଛନ୍ତି।