ସାଲିଆ ସାହିରେ ମଦ ଓ ପୋଚ ନଷ୍ଟ କଲା ପୁଲିସ,ଚାଲିଲା ବୁଲ୍ଦୋଜର

ସାଲିଆସାହିର ଅଜ୍‌ବେସ୍‌ଷ୍ଟସ୍‌ ଘର। ଘର ଭିତରେ ସୁଡ଼ଙ୍ଗ। ଅଣ୍ଡର୍‌ଗ୍ରାଉଣ୍ଡରେ ଲାଗିଥିଲା ଏସି ଓ ଏଲ୍‌ଇଡି ଟିଭି। ତା’ ଭିତରେ ଚାଲିଥିଲା ଦେଶୀ ମଦ ତିଆରି। ସୁରକ୍ଷା ପାଇଁ ସାଇତା ହୋଇଥିଲା ମାରଣାସ୍ତ୍ର। ସାଲିଆସାହିରୁ ସଂପୂର୍ଣ୍ଣ ଭାବେ ଦେଶୀ ମଦ ଭାଟି ବନ୍ଦ କରିବାକୁ କମିସନରେଟ୍‌ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ଉ କରାଯାଉଛି। ବୁଲ୍‌ଡୋଜର ଚଢ଼ାଇ ଭାଟିକୁ ମାଟିରେ ମିଶେଇଦେଇଛି ପୁଲିସ ପ୍ରଶାସନ । ଗତକାଲିଠାରୁ ଆରମ୍ଭ ହୋଇଥିବା ୩ଟି ବଡ଼ଧରଣର ଚଢ଼ଉରେ ୧୧, ୫୦୦ ଲିଟର ଚାଉଳି ମଦ ଓ ୫୦, ୦୦୦ କେଜିରୁ ଅଧିକ ପୋଚ ନଷ୍ଟ କରିଛି ପୁଲିସ। ୫ଜଣଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ନୂଆ ଭାରତୀୟ ନ୍ୟାୟ ସଂହିତା ଅନୁସାରେ ଅର୍ଗାନାଇଜଡ୍ କ୍ରାଇମ୍‌ ଧାରା ଲଗାଯିବ ‌ବୋଲି ଜଣାପଡିଛି |

ଆଜି ଡିସିପିଙ୍କ ନେତୃତ୍ବରେ ୩ଟି ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରିଥିଲା। ଏହି ଟିମ୍‌ରେ ଜଣେ ଏସିପି, ତିନି ଥାନା ଅଧିକାରୀଙ୍କ ସମେତ ୪ ପ୍ଲାଟୁନ୍‌ ପୁଲିସ ସାମିଲ ହୋଇଥିଲେ। ଚଢ଼ଉ ପୂର୍ବରୁ ସୂଚନା ପାଇ ମାଫିଆମାନେ ଫେରାର ହୋଇଯାଇଥିଲେ। ପୁଲିସ କିଛି ଲୋକଙ୍କୁ ସନ୍ଦେହ‌ରେ ଅଟକ ରଖି ପଚରାଉଚରା କରୁଚି ପୁଲିସ |