ଡିଏମ୍ ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା,ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ମିଳିଲା ମୃତଦେହ
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ ପଡ଼ିଆର ପାଣି କୁଣ୍ଡରୁ ମିଳିଲା ମୃତଦେହ। ସର୍ଚ୍ଚ ବେଳେ ମୁର୍ମୂଷ ଅବସ୍ଥାରେ ପାଣି କୁଣ୍ଡରୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ସେପଟେ ଘଟଣାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଥିବା କହିଛନ୍ତି ପରିବାର ଲୋକେ। ଏମିତିକି ଡ୍ୟୁଟିରେ ଥିବା ସୁରକ୍ଷା କର୍ମୀ ଓ ସ୍କୁଲ୍ କର୍ତ୍ତୃପକ୍ଷ ଅବହେଳା ଯୋଗୁ କୁନି ଝିଅର ଜୀବନ ଯାଇଥିବା ଆଣି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ମୃତ ଛାତ୍ରୀଙ୍କ ପରିବାର ଲୋକେ। ପୋଲିସ ମାମଲାର ତଦନ୍ତ ଚଳାଇଛି ।
ସୂଚନାଥାଉକି, ବୁଧବାର ଅପରାହ୍ଣରେ ବିଦ୍ୟାଳୟ ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୭ ବର୍ଷୀୟା ଜଣେ ମାନସିକ ଭିନ୍ନକ୍ଷମ ଛାତ୍ରୀ ନିଖୋଜ ହୋଇଥିବା ସୂଚନା ମିଳିଥିଲା। ଅପରାହ୍ନ ପ୍ରାୟ ୪ଟା ୩୦ ମିନିଟ୍ ସମୟରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇ ସହିଦ ନଗର ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ବ୍ୟାପକ ଖୋଜାଖୋଜି ଅଭିଯାନ ଆରମ୍ଭ କରିଥିଲେ। ଶିଶୁଟିକୁ ଠାବ କରିବା ପାଇଁ ପୋଲିସ ମୁଖ୍ୟାଳୟରୁ ମଧ୍ୟ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଥିଲେ। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯିବା ସହ ସମସ୍ତ ପିସିଆର୍ ଭ୍ୟାନ୍କୁ ସତର୍କ କରାଯାଇଥିଲା।
ସିସିଟିଭି ଫୁଟେଜ ଜଣାପଡ଼ିଥିଲା ଯେ, ସ୍କୁଲ ଛୁଟି ପୂର୍ବରୁ ଛାତ୍ରୀ ଜଣକ ସ୍କୁଲ ପରିସରରୁ ବାହାରି ଏକୁଟିଆ ପୋଲିସ ଲାଇନ୍ସ୍ଥିତ ଚିଲ୍ଡ୍ରେନ୍ ପାର୍କ ଆଡ଼କୁ ଯାଉଥିଲେ। ତଦନ୍ତ ସମୟରେ ଜଣାପଡ଼ିଥିଲା ଯେ, ଛାତ୍ରୀଙ୍କ ମାମୁ ପୋଲିସ ଲାଇନ୍ରେ କାର୍ଯ୍ୟରତ ଜଣେ କନଷ୍ଟେବଳ। ଆହୁରି ମଧ୍ୟ ଜଣାପଡ଼ିଛି ଯେ, ପୋଲିସ ଲାଇନ୍ ପରିସରରେ ଥିବା ଉକ୍ତ କୁଣ୍ଡରେ ଗତ କିଛି ଦିନର ଲଗାଣ ବର୍ଷା ଯୋଗୁ ପ୍ରାୟ ୪ରୁ ୫ ଫୁଟ ପାଣି ଜମିଥିଲା।
ତେବେ ଘଟଣାରେ ଇନ୍କ୍ୱେଷ୍ଟ ଏବଂ ଶବ ବ୍ୟବଚ୍ଛେଦ କରାଯିବ। ପ୍ରାଥମିକ ତଦନ୍ତରୁ ଏହା ଦୁର୍ଘଟଣାଜନିତ ବୁଡ଼ି ମୃତ୍ୟୁ ବୋଲି ଅନୁମାନ କରାଯାଉଥିବା ବେଳେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।