ବନ୍ଧା ହେଲେ ଡିଏଫ୍ଓ ବାବୁ

ବନ୍ଧା ହେଲେ ଡିଏଫ୍ଓ ବାବୁ।  କେନ୍ଦୁଝର କେନ୍ଦୁଲିଫ୍ ଡିଭିଜିନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ୩ ଦିନ ହେବ କେନ୍ଦୁଲିଫ୍‌ ଡିଭିଜନର ବନଖଣ୍ଡ ଅଧିକାରୀ ନିତ୍ୟାନନ୍ଦ ନାୟକଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଚଢାଉ ଜାରି ରହିଥିଲା। ବିଭାଗ ପକ୍ଷରୁ କେନ୍ଦୁଝର, ଅନୁଗୋଳ ଓ ନୟାଗଡ଼ ଜିଲାର ମୋଟ ୭ଟି ଠିକଣାରେ ଏକକାଳୀନ ଚଢ଼ଉ କରାଯାଇଥିଲା। ତେବେ ଚଢ଼ଉ ସମୟରେ ବାବୁଙ୍କ ଜମି କିଣା ସଉକ ବାବଦରେ ଭିଜିଲାନ୍ସ ଜାଣିବାକୁ ପାଇଛି। ସଂପୃକ୍ତ ଅଧିକାରୀ ୧୯୯୨ ମସିହାରେ ବନ ବିଭାଗର ରେଞ୍ଜ ଅଫିସର ଭାବରେ ଚାକିରିରେ ଯୋଗ ଦେବା ପରଠାରୁ ୨୦୨୪ ମସିହା ମଧ୍ୟରେ ବିପୁଳ ପରିମାଣର ଜମି କିଣିଛନ୍ତି। ନିଜ ପରିବାର ନାମରେ ତାଙ୍କର ୧୧୫ଟି ପ୍ଲଟ୍‌ ରହିଛି। ଏଥିମଧ୍ୟରୁ ୫୩ଟି ପ୍ଲଟ୍‌ ନିଜ ନାମରେ, ୪୨ଟି ସ୍ତ୍ରୀଙ୍କ ନାମରେ, ୧୬ଟି ପ୍ଲଟ୍‌ ନିଜ ଦୁଇ ପୁଅଙ୍କ ନାମରେ, ୪ଟି ପ୍ଲଟ୍‌ ଝିଅ ନାମରେ କିଣିଛନ୍ତି। ଏହା ସହିତ ଚଢ଼ଉ ବେଳେ ତାଙ୍କ ନିକଟରୁ ନଗଦ ୧ଲକ୍ଷ ୧୯ହଜାର ଟଙ୍କା, ଦୁଇଟି ଚାରିଚକିଆ ଓ ୪ଟି ଦୁଇ ଚକିଆ ଗାଡ଼ି ଜବତ କରାଯାଇଛି। ତାଙ୍କ ଓ ପରିବାର ନାମରେ ରହିଥିବା ବ୍ୟାଙ୍କ ଜମା ଓ ଅନ୍ୟାନ୍ୟ ବିନିଯୋଗ ସମ୍ପର୍କରେ ଖୋଳତାଡ଼ ଚାଲୁ ରହିଛି।

କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ପକ୍ଷରୁ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କେନ୍ଦୁଝର କେନ୍ଦୁଲିଫ୍‌ ଡିଭିଜନ କାର୍ଯ୍ୟାଳୟ, କେନ୍ଦୁଝରରେ ଥିବା ସରକାରୀ ବାସଭବନ, ନୟାଗଡ଼ ଜିଲାର କୋମଣ୍ଡରେ ପୁଅ ରହୁଥିବା ଘର ଓ ନୟାଗଡ଼ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଶ୍ରୀ ନାୟକଙ୍କ ପୁଅର ଅଫିସ ଚାମ୍ବରରେ ଛାନ୍‌ଭିନ୍‌ କରାଯାଇଥିଲା। ସେହିପରି ଅନୁଗୋଳ ସହରର ମାଟିଆ ସାହିରେ ଥିବା ତାଙ୍କ ପୈତୃକ ବାସଭବନ, ଶିମିଳିପଡାରେ ଥିବା ନିଜସ୍ବ ବାସଭବନ ଓ ଏନଟିପିସି ଥାନା ଅଞ୍ଚଳରେ ଥିବା ଶ୍ବଶୁର ଘର ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ସମୟରେ ଶ୍ରୀ ନାୟକ ତାଙ୍କ ଅନୁଗୋଳ ଶିମିଳିପଡା ସ୍ଥିତ ବାସଭବନରେ ଉପସ୍ଥିତ ଥିଲେ। ଏହି ଘରୁ ନଗଦ ୧ ଲକ୍ଷ ୧୯ ହଜାର ସହ ୧୧୫ଟି ଜମିର ପଟ୍ଟା ଜବତ କରାଯାଇଥିଲା। ଅନୁଗୋଳ ବାସଭବନରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ତାଙ୍କୁ ଅଟକ ରଖି ଜେରା କରିଥିଲେ। ଏହି ଚଢ଼ଉରେ ତିନି ଜଣ ଡିଏସପି, ଦଶ ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟ କର୍ମଚାରୀମାନେ ନିୟୋଜିତ ଥିଲେ।

Leave a comment