ଏକାମ୍ର କ୍ଷେତ୍ରରେ ଜମିଲାଣି କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ବର: ଆଜି ଶ୍ରାବଣ ମାସର ପ୍ରଥମ ସୋମବାରରେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ କାଉଡ଼ିଆଙ୍କ ଭିଡ଼ ଜମିବାରେ ଲାଗିଛି। ଦେବ ଦେବ ମହାଦେବଙ୍କ ଉପରେ ଜଳଲାଗି କରିବା ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ରକୁ ଛୁଟି ଆସିଛନ୍ତି। ମହାନଦୀର କଟକ ଗଡ଼ଗଡ଼ିଆ ଘାଟ ସମେତ ଅନ୍ୟ ନଦୀ ଘାଟରୁ ଜଳଭାର ନେଇ କାଉଡ଼ିଆମାନେ ଏକାମ୍ର କ୍ଷେତ୍ର‌ରେ ପହଞ୍ଚିଛନ୍ତି। ସକାଳୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରୁଛନ୍ତି। ବହୁ କାଉଡ଼ିଆ ଏକାମ୍ର କ୍ଷେତ୍ର ସ୍ଥିତ ଅନ୍ୟ ଶିବ ମନ୍ଦିରରେ ବି ପାଣି ଢାଳୁଛନ୍ତି।  ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ହୋଇଉଠିଛି ରାଜ୍ୟର ସମସ୍ତ ଶୈବ ପୀଠ । ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି ହଜାର ହଜାର କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରାରେ ବାହାରି ଜଳଲାଗି କରୁଛନ୍ତି । ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ଢେଙ୍କାନାଳର କପିଳାଶ ମନ୍ଦିରରେ ପାଣି ଢାଳୁଛନ୍ତି ଭକ୍ତ ।  ଚଳିତବର୍ଷ ଯୋଡ଼ା ଶ୍ରାବଣ ପଡୁଥିବାବେଳେ ଜୁଲାଇ ମାସରେ ଆଜି ଓ ୧୭ ତାରିଖ ଦିନ ଜଳଲାଗି କରାଯିବ । ସେହିପରି ଅଗଷ୍ଟ ମାସର ଶେଷକୁ ଦୁଇଟି ସୋମବାର ୨୧ ତାରିଖ ଓ ୨୮ ତାରିଖ ଦିନ ମଧ୍ୟ ଜଳଲାଗିର ବ୍ୟବସ୍ଥା ରହିଛି ।