ବାତ୍ୟା ଅଞ୍ଚଳରେ ସ୍ଥିତି ପରଖିଲେ ଉପମୁଖ୍ୟମନ୍ତ୍ରୀ
ବାତ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ଥିତି ପରଖିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଧନ ସିଂହଦେଓ । ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଓ ବଗପାଟିଆରେ ବାତ୍ୟା ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କରିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତାଳଚୁଆ ଗ୍ରାମ ଓ ବଗପାଟିଆ ଗ୍ରାମ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା l ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ଖାଦ୍ୟ, ପାନୀୟ ଏବଂ ସଠିକ ସରକାରୀ ସୁବିଧା ଲୋକମାନଙ୍କୁ ମିଳୁଛି କି ନାହିଁ ତାହାର ତଦାରଖ କରିଛନ୍ତି କନକ ବର୍ଦ୍ଧନ ସିଂହଦେଓ । କ୍ଷୟକ୍ଷତି ରିପୋର୍ଟ ପରେ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।
ସେପଟେ ଭିତରକନିକାରୁ ଧାମରା ମଧ୍ୟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରାଯାଇଥିଲା। ତେବେ, ଗତକାଲି ମଧ୍ୟରାତ୍ରିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ୍ ତାଳଚୁଆ ଓ ଧାମରା ମୁହାଣ ଅତିକ୍ରମ କରିବା ସମୟରେ ବାତ୍ୟା ତାଣ୍ଡବ ରଚିଥିଲା। ଏହାର ପ୍ରଭାବରେ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ଅଞ୍ଚଳ ଏକପ୍ରକାର ବେହାଲ୍ ହୋଇଯାଇଛି। ସୂଚନା ଅନୁସାରେ, ବାତ୍ୟାର ପ୍ରଭାବ ଏତେ ଭୟଙ୍କର ନ ଥିଲେ ବି ଲଗାଣବର୍ଷା ଯୋଗୁ ବିଭିନ୍ନ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଢେଉ ଖେଳୁଛି। ଗାଁମାନଙ୍କରେ ଜଳ ନିଷ୍କାସନ ବ୍ୟବସ୍ଥା ନ ଥିବାରୁ କେତେକ ସ୍ଥାନରେ ଘର ଭିତରେ ପାଣି ପଶି କଚ୍ଚାଘର ଭାଙ୍ଗିଯାଇଛି।