ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ‘ମୋନ୍ଥା’
ବଙ୍ଗୋପସାଗରରେ ଆସୁଥିବା ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ? ଓଡ଼ିଶାରେ ଏହାର ପ୍ରଭାବ କଣ ପଡିବ? କେଉଁ କେଉଁ ଜିଲ୍ଲାରେ କେତେ ବର୍ଷା ହେବ? ଏହାକୁ ନେଇ ଲୋକେ ଭୟଭୀତ ହୋଇପଡିଥିବାବେଳେ ସ୍ପଷ୍ଟ ହୋଇଛି ବାତ୍ୟାର ଗତିପଥ । ସ୍ପଷ୍ଟ ହୋଇଛି କେଉଁଠି ଛୁଇଁବ ସ୍ଥଳଭାଗ ।ଅଶାନ୍ତ ହୋଇଛି ବଂଗୋପସାଗର। ସାମୁଦ୍ରିକ ଝଡ ସୃଷ୍ଟି ହେବା ଫଳରେ କରୁଛି ଗର୍ଜନ । ମାଡି ଆସୁଛି ବାତ୍ୟା ମୋନ୍ଥା । ଗଭୀର ଅବପାତର ରୂପ ନେଇଥିବା ସାମୁଦ୍ରିକ ଝଡ଼ ଆହୁରି ବଳ ଗୋଟାଇ ଆଗକୁ ବଢ଼ୁଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରି ଆଜି ରାତି ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ । ସମୁଦ୍ର ଭିତରେ ଉତ୍ତର-ପଶ୍ଚିମ ଦିଗରେ କିଛି ବାଟ ଗତି କରିବା ପରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଯାଇ ୨୮ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ । ସେହି ଅବସ୍ଥାରେ ଆନ୍ଧ୍ର ପ୍ରଦେଶର କାକିନାଡ୍ଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ସେତେବେଳେ ପବନର ବେଗ ସର୍ବାଧିକ ୧୧୦ କିଲୋମିଟର ରହିବ ।
ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରେ ସିଧାସଳଖ ମାଡ ନହେଲେ ବି ମାଲକାନଗିରି ଦେଇ ଅତିକ୍ରମ କରିବ । ଏଥିସହ ପାଣିପାଗ ବିଭାଗ ଜାରି କରିଥିବା ବାତ୍ୟାର ଗତିପଥରୁ ଜଣାପଡୁଛି ଅଧା ଓଡ଼ିଶା ଏହାର ବଳୟ ଭିତରେ ରହିବ। ଯାହାର ପ୍ରଭାବରେ ତିନି ଦିନ ଧରି ଓଡ଼ିଶାରେ ବଡ ବର୍ଷା ହେବ । ୧୦୦ କିଲୋମିଟର ବେଗରେ ପବନ ବହିପାରେ । ସ୍ଥିତିକୁ ନଜରରେ ରଖି ସତର୍କ କରିଛି ଆଇଏମଡି ।
୨୭ରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ୨୮ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ନବରଂଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ୨୯ରେ ପୂରା ଦକ୍ଷିଣ ଓଡ଼ିଶା ସମେତ ନୂଆପଡ଼ା, ବଲାଙ୍ଗୀର, ବୌଦ୍ଧରେ ବର୍ଷା ଲାଗି ରହିବ । ବାତ୍ୟାର ପ୍ରକୋପ ଓଡ଼ିଶାରେ କେତେ ରହିବ, ଆସନ୍ତାକାଲିକୁ ଆହୁରି ସ୍ପଷ୍ଟ ହେବ । ତେବେ ପାଣିପାଗ ବିଭାଗର ସତର୍କ କରିବା ପରେ ସଜାଗ ହୋଇଛନ୍ତି ସରକାର ।