କଟକର ଖାନ୍ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଶ୍ରମିକ ମୃତ , ଅନୁକମ୍ପା ରାଶି ଘୋଷଣା କଲେ ସରକାର
ନିର୍ମାଣାଧୀନ ବ୍ରିଜ୍ରେ ଅଘଟଣ ଘଟିଛି। କଟକର ଖାନ୍ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା।
ଅଘଟଣ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ସାମାଜିକ ଗଣମାଧ୍ୟମରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଦୁର୍ଘଟଣାରେ ଆହତଙ୍କୁ ମାଗଣାରେ ଚିକିତ୍ସା ସେବା ଯୋଗାଇବା ସହ ମୁଖ୍ୟମନ୍ତ୍ରୀ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଖାନନଗରରେ ନିର୍ମାଣାଧୀନ ବ୍ରିଜରେ ବ୍ୟବହାର ହୋଇଥିବା କ୍ରେନ୍ ଫେଲ୍ ହେବାରୁ ଅଘଟଣ ଘଟିଛି। ୫ଜଣ ଶ୍ରମିକ ଆହତ ହୋଇଥିଲେ। ଶ୍ରିକମାନଙ୍କ ମଧ୍ୟରୁ କିଛି ବାହାର ରାଜ୍ୟର ବୋଲି ଜଣାପଡ଼ିଛି। ଆହତମାନଙ୍କୁ ଆମର ଟିମ୍ ତୁରନ୍ତ ଏସ୍ସିବିକୁ ସ୍ଥାନାନ୍ତରିତ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି। ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ।
ଖାନ୍ନଗରରେ ନିର୍ମାଣାଧୀନ ବ୍ରିଜ୍ରେ ଦୁର୍ଘଟଣା କାରଣରୁ ଶ୍ରମିକଙ୍କ ମୃତ୍ୟୁ ଓ ଆହତ ଘଟଣା ନେଇ କଟକ ମେୟର ସୁବାସ ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ସରକାରଙ୍କ ଦାୟିତ୍ବହୀନ କାରଣରୁ ଏହି ଅଘଟଣ ଘଟିଛି ବୋଲି ସେ କହିଛନ୍ତି। ଠିକା କଂପାନି ଶ୍ରମିକମାନଙ୍କର ସୁରକ୍ଷା ଦେଇଥିଲେ ମଧ୍ୟ ଏଭଳି ଅଘଟଣ ଘଟି ନଥାନ୍ତା ବୋଲି ସେ କହିଛନ୍ତି।