ମୃତ ସୌମ୍ୟଙ୍କ ମୌଜପୁର ଘରେ ଖୋଳତାଡ଼ କରୁଛନ୍ତି କ୍ରାଇମବ୍ରାଞ୍ଚ ଟିମ୍,ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି

ବାଲିଅନ୍ତାରେ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ହତ୍ୟା ଘଟଣାରେ ଖୋଳତାଡ଼ । କ୍ରାଇମବ୍ରାଞ୍ଚ ଟିମ୍ ଏହି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି । ମୃତ ସୌମ୍ୟଙ୍କ ମୌଜପୁର ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ ସୌମ୍ୟଙ୍କ ଘରେ ଖୋଳତାଡ଼ କରୁଛନ୍ତି । ଭାଇରାଲ୍ ହୋଇଥିବା ଅଡିଓ କ୍ଲିପ୍, ହ୍ୱାଟ୍ସଆପ୍ ଚାଟିଂ ଓ ସୌମ୍ୟଙ୍କ ହାତଲେଖା ଡାଇରୀ ଜବତ କରିବା ପାଇଁ ଏହି ଟିମ୍ ତାଙ୍କ ଘରେ ପହଞ୍ଚିଛି ।

ସେପଟେ ଏହି ଘଟଣାରେ ଏନଏଚଆରସିରେ ଦାଖଲ ଅଭିଯୋଗ ଆଧାରରେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ସିଆଇଡି-କ୍ରାଇମବ୍ରାଞ୍ଚ ପକ୍ଷରୁ ଚିଠି ଜାରି ହୋଇଛି।

ଏନଏଚଆରସିରେ ଦାଖଲ ହୋଇଥିବା ଅଭିଯୋଗରେ ମୃତ କନଷ୍ଟେବଳ ସୌମ୍ୟଙ୍କୁ ବରିଷ୍ଠ ଆଇପିଏସ ଅଧିକାରୀ ଘରୋଇ କାମରେ ଅବୈଧ ଭାବେ ନିୟୋଜିତ କରିଥିବା ଅଭିଯୋଗ ଉଠିଛି। ଏହି ଅଭିଯୋଗର ସତ୍ୟତା ଯାଞ୍ଚ ପାଇଁ ରେଲୱେ ଓ କୋଷ୍ଟାଲ ସିକ୍ୟୁରିଟି ଏଡିଜିଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

ଏପଟେ ସୌମ୍ୟ ରଞ୍ଜନ ସ୍ୱାଇଁ ମୃତ୍ୟୁ ଘଟଣାରେ ଏନଏଚଆରସି ଓ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି। ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହି ନୂଆ ଅଭିଯୋଗ ମାମଲାକୁ ଆହୁରି ଗୁରୁତ୍ୱ ବଢ଼ାଇଛି

ମୃତ ସୌମ୍ୟଙ୍କ ମାଆ ADG ଦୟାଲ ଗଙ୍ଗୱାରଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସୌମ୍ୟ ADGଙ୍କ ଘରକୁ ପ୍ରତିଦିନ ଯାଉଥିଲେ । ADGଙ୍କ ସେବା କରୁଥିଲେ । ମାଲିସ କରୁଥିଲେ । ଯେଉଁଥିପାଇଁ ସୌମ୍ୟଙ୍କ ହାତ ବିଣ୍ଡି ପଡିଯାଇଥିଲା । ସୌମ୍ୟ ମାନସିକ ସ୍ତରରେ ନିର୍ଯାତନା ପାଉଥିବା ନେଇ ଅଭିଯୋଗ ହୋଇଥିଲା ।

Leave a comment