ବିଜେଡି-ବିଜେପି ବିରୁଦ୍ଧରେ କଂଗ୍ରେସର ୧୦ଦଫା ଚାର୍ଜସିଟ୍

କଂଗ୍ରେସ ଭବନରେ  ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ,ନବୀନ ସରକାରଙ୍କ ଦୀର୍ଘ ୨୪ବର୍ଷର ଶାସନ ପରେ ଆଜି ଓଡ଼ିଶାରେ ଓଡ଼ିଆମାନେ ନିଜ ଅସ୍ତିତ୍ୱ ଖୋଜୁଛନ୍ତି । ଓଡ଼ିଶାର ପ୍ରାକୃତିକ ସମ୍ପଦ, ମାନବସମ୍ବଳ ଓ ସମସ୍ତ ପୁଞ୍ଜିକୁ ଓଡ଼ିଶା ବାହାରର ଲୋକଙ୍କ ହାତରେ ଟେକିଦେବାକୁ ଏ ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି । ଓଡ଼ିଶାରେ ସମସ୍ତ ନିର୍ମାଣ କାର୍ଯ୍ୟ ଏବେ ବାହାର ରାଜ୍ୟର ଠିକାଦାର କରୁଥିବାବେଳେ ଓଡ଼ିଶାର ଠିକାଦାରମାନେ ହାତବାନ୍ଧି ବସିଛନ୍ତି । ସରକାରୀ ଯୋଜନା ସାଧାରଣ ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଥିବାବେଳେ ପ୍ରଶାସନିକ ଅଧିକାରୀମାନେ ମନମୁଖୀ କାର୍ଯ୍ୟ ଚଳାଇଛନ୍ତିି । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ବୃଦ୍ଧି ପାଉଥିବାବେଳେ ରାଜ୍ୟବାସୀ ଅବହେଳାର ଶିକାର ହେଉଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି।

ଓଡ଼ିଶାର ସମ୍ପତ୍ତିକୁ ରାଜ୍ୟ ବାହାରର ଲୋକଙ୍କ ହାତରେ ଟେକିଦେବା ପାଇଁ ସରକାର ସୁଚିନ୍ତିତ ଟେଣ୍ଡର ବ୍ୟବସ୍ଥା କରିଛନ୍ତି । ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ୩୫ହଜାର କୋଟି ଟଙ୍କାରୁ ୩୪ ହଜାର କୋଟି ଟଙ୍କା ରାଜ୍ୟ ବାହାର ଠିକାଦାରଙ୍କୁ ଦିଆଯାଇଛି । କିନ୍ତୁ ଲୋକେ ପାନୀୟଜଳ ପାଇପାରୁ ନାହାନ୍ତି । ନିମ୍ନମାନର କାର୍ଯ୍ୟ ଯୋଗୁ ସବୁ ବିପର୍ଯ୍ୟସ୍ତ ହୋଇପଡ଼ିବାବେଳେ ଅଭିଯୋଗ ଶୁଣିବାକୁ କେହି ନାହିଁ । ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଲୋକେ କାହାକୁ ଅଭିଯୋଗ କରିବେ ଜାଣିପାରୁନାହାନ୍ତି । ଖାଲି ସେତିକି ନୁହେଁ, ବିଭିନ୍ନ ନିର୍ମାଣ କାର୍ଯ୍ୟ,ରାସ୍ତାଘାଟ ଏପରିକି ଲକ୍ଷ୍ମୀ ବସ୍ ପାଇଁ ମଧ୍ୟ ରାଜ୍ୟ ବାହାର ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଛି । ବିଜେଡି ସରକାର ନିଜର ପ୍ରଚାର ପ୍ରସାର ପାଇଁ ଓଡ଼ିଆ ଜାତିର ପରିଚୟ ଓ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ଛାଡ଼ି ନାହାନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ ଯେଭଳି ଭାବେ ଅର୍ପଣ ରଥ ପରିକ୍ରମା କଲା ତାହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଗଭୀର ମାନସିକ ଆଘାତ ଦେଇଛି । ଅର୍ପଣ ରଥରେ ନବୀନ ପଟ୍ଟନାୟକ ଓ କାର୍ତିକେୟନ ପାଣ୍ଡିଆନଙ୍କ ଫଟୋ ଲଗାଇ ପରିକ୍ରମା କରାଗଲା ଓ ବିଜେଡିର ପ୍ରଚାର ହେଲା । ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରାଯିବା ବଦଳରେ ଓଡ଼ିଆ ପରମ୍ପରାର ବିରୋଧାଚରଣ କରି ଲୋକଙ୍କଠାରୁ ଗୁଆ ଓ ଚାଉଳ ସଂଗ୍ରହ କରାଗଲା।