ଅମିତ ଶାହ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଦ୍ବାରା ଇଫ୍କୋ ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଉଦ୍ଘାଟନ ଅବସରରେ ଉପସ୍ଥିତ ତିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଅମିତ ଶାହ ଦେଶର ଜଣେ ଦୃଢ଼ ଏବଂ ଦ୍ରୁତ ନିଷ୍ପତ୍ତି ଗ୍ରହଣ କରୁଥିବା ନେତା ଭାବେ ଜଣାଶୁଣା । ସେ ଯାହା କୁହନ୍ତି, ତାହା କରିକି ଦେଖାଇଥାନ୍ତି । ଧାରା ୩୭୦ ହେଉ କିମ୍ବା ଦେଶକୁ ନକ୍ସଲମୁକ୍ତ କରିବା, ଯାହା ପୂର୍ବରୁ ଅସମ୍ଭବ ମନେ ହେଉଥିଲା, ଶାହ ଜୀ କରି ଦେଖାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦୃଷ୍ଟିକୋଣକୁ କାର୍ଯ୍ୟକାରୀ କରିବାରେ ଶାହ ଜୀଙ୍କ ପରି ଆଉ କୌଣସି ନେତା ନାହାନ୍ତି । ଏପରି ଦୃଢ଼ ଏବଂ କଠିନ ନିଷ୍ପତ୍ତିର ସଫଳ କାର୍ଯ୍ୟାନ୍ୱୟନ ସର୍ବଦା ସ୍ମରଣୀୟ ରହିବ ।
ଶାହାଜୀ ସହକାରୀତା ବିଭାଗର ଦାୟିତ୍ୱ ନେବା ପରଠାରୁ, ଏହି ବିଭାଗରେ ବୈପ୍ଲବିକ ପରିବର୍ତ୍ତନ ଆସିଛି । ସମବାୟ କ୍ଷେତ୍ରରେ ଗୁଜରାଟ ହେଉଛି ଦେଶର ପ୍ରମୁଖ ମଡେଲ । ଗୁଜରାଟରେ ସମବାୟ ଆନ୍ଦୋଳନର ସଫଳତାର ପ୍ରମୁଖ ଶ୍ରେୟ ମାନନୀୟ ଶାହ ଜୀଙ୍କୁ ଯାଇଥାଏ । ଓଡ଼ିଶାରେ ଏହି ଯେଉଁ ପ୍ଲାଣ୍ଟ ଉଦ୍ଘାଟନ ହେଲା, ଏହା ସମବାୟ କ୍ଷେତ୍ରକୁ ଶାହାଜୀଙ୍କ ଅବଦାନର ଆଉ ଏକ ପ୍ରମାଣ ।
ସନ୍ଧ୍ୟାରେ ମଧ୍ୟ, ଭୁବନେଶ୍ୱରରେ, ଶାହାଜୀଙ୍କ କରକମଳରେ, ଓଡ଼ିଶାର ନୂତନ ସମବାୟ ନୀତି ଉନ୍ମୋଚିତ ହେବାକୁ ଯାଉଛି । ଏଥି ସହିତ ଅନେକ ନୂତନ ଯୋଜନାର ଶୁଭାରମ୍ଭ ହେବାକୁ ଯାଉଛି । ଓଡ଼ିଶାର ସମବାୟ କ୍ଷେତ୍ରରେ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି ।
ଇଫ୍କୋ ଆମ ଦେଶର ସର୍ବବୃହତ କୋ-ଅପରେଟିଭ୍ ସଂସ୍ଥା ମଧ୍ୟରୁ ଗୋଟିଏ । ସାର ଉତ୍ପାଦନରେ ଏହା ସାରା ବିଶ୍ବରେ ଏକ ନମ୍ବର । ୟୁରିଆ ଓ ପଟାସ୍ ଜାତୀୟ ସାର ପ୍ରସ୍ତୁତ କରିବାରେ ଇଫ୍କୋ ହେଉଛି ଦେଶର ଅଗ୍ରଣୀ ସଂସ୍ଥା । ଏଥିରେ ଏହି ପାରାଦୀପ ୟୁନିଟ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଇଫ୍କୋର ଏହି ୟୁନିଟ୍ ଏକ ଘରୋଇ ଉଦ୍ୟୋଗ ଥିଲା, କିନ୍ତୁ ତାହା ଅଚଳ ହୋଇପଡିଥିଲା । ଇଫ୍କୋ ଏହାକୁ ଅଧିଗ୍ରହଣ କରିବା ପରେ ଆଜି ଏହା ଦେଶର ସାର ଉତ୍ପାଦନରେ ଏକ ଅଗ୍ରଣୀ ଭୂମିକା ନେଇ ଚାଷୀ ମାନଙ୍କର ଆବଶ୍ୟକତାକୁ ପୂରଣ କରୁଛି । ୨୦୦୫-୦୬ରେ ଏହାର ଉତ୍ପାଦନ ପ୍ରାୟ କିଛି ନଥିଲା, ଆଜି ଏହା ତାର ସମ୍ପୂର୍ଣ୍ଣ କ୍ଷମତା ଅନୁସାରେ ଉତ୍ପାଦନ କରୁଛି ।
ଆଜିର ଏହି ସଲ୍ଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ଷ୍ଟ୍ରିମ୍-୩ ର ଉଦ୍ଘାଟନ ଯୋଗୁ, ସାର ଉତ୍ପାଦନ କ୍ଷେତ୍ରରେ ଆଜି ଆମେ ଆତ୍ମନିର୍ଭରତା ଆଡକୁ ଆଉ ଏକ ପାଦ ଆଗକୁ ବଢିପାରିଛୁ । ଏଥିରେ ଦିନକୁ ପ୍ରାୟ ୨ ହଜାର ଟନ୍ ସଲ୍ଫ୍ୟୁରିକ୍ ଏସିଡ୍ ଉତ୍ପାଦନ ହେବ । ବର୍ଷକୁ ୬ ଲକ୍ଷ ମେଟ୍ରିକ୍ ଟନ୍ ସଲ୍ଫ୍ୟୁରିକ୍ ଏସିଡ୍ ଆମେ ବିଦେଶରୁ ଆମଦାନୀ କରୁ । ଏହି ପ୍ଲାଣ୍ଟ ସଂପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ଦେଶକୁ ଆଉ ଆମଦାନୀ କରିବାକୁ ପଡିବ ନାହିଁ । ଇଏ ହେଉଛି ଆତ୍ମନିର୍ଭର ଭାରତର ଆଉ ଏକ ନିଦର୍ଶନ । ଏଥିପାଇଁ ମୁଁ ଶାହାଜୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି।