ଓଟିଆଣ୍ଡଏଏସ୍ କ୍ୟାଡର୍ରେ ୧୯୮ ଅଧିକାରୀଙ୍କ ବଦଳି,ଅଗଷ୍ଟ ୧ ସୁଦ୍ଧା ବଦଳି ହୋଇଥିବା କାର୍ଯ୍ୟାଳୟରେ ଯୋଗ ନ ଦେଲେ, ବନ୍ଦ ହେବ ଦରମା
ଓଡ଼ିଶା ଟିକସ ଓ ଆକାଉଣ୍ଟ ସେବା (ଓଟିଆଣ୍ଡଏଏସ୍) କ୍ୟାଡର୍ରେ ୧୯୮ ଅଧିକାରୀଙ୍କ ବଦଳି କରାଯାଇଛି। ଏନେଇ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଅଧିକାରୀମାନେ ବିଭିନ୍ନ ଜିଲାରେ ବ୍ଲକ୍ ଫାଇନାନ୍ସ ଅଫିସର୍, ସିଟି ଆଣ୍ଡ ଜିଏସ୍ଟି ଅଫିସର୍, ସବ୍-ଟ୍ରେଜେରୀ ଅଫିସର୍, ଆକାଉଣ୍ଟସ୍ ଅଫିସର୍, ଫାଇନାନ୍ସ ଓ ଆକାଉଣ୍ଟସ୍ ମ୍ୟାନେଜର୍ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଦଳି ଆଦେଶ ପାଇଥିବା ଅଧିକାରୀମାନେ ଆସନ୍ତା ୩୧ ତାରିଖ ସୁଦ୍ଧା ପୁରୁଣା ସ୍ଥାନରୁ ବିଦାୟ ନେବେ। ଅଗଷ୍ଟ ୧ ସୁଦ୍ଧା ବଦଳି ହୋଇଥିବା କାର୍ଯ୍ୟାଳୟରେ ଯୋଗ ନ ଦେଲେ, ସେମାନଙ୍କ ଦରମା ବନ୍ଦ କରାଯିବ। ନିୟନ୍ତ୍ରଣକାରୀ କର୍ତ୍ତୃପକ୍ଷ କୌଣସି ବିକଳ୍ପ ଆଦେଶକୁ ଅପେକ୍ଷା ନ କରି ବଦଳି ହୋଇଥିବା ଅଧିକାରୀଙ୍କୁ ତୁରନ୍ତ ଦାୟିତ୍ବମୁକ୍ତ କରିବେ। ବଦଳି ଆଦେଶ ପାଇଥିବା ଅଧିକାରୀମାନେ ଯଦି ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) କାର୍ଯ୍ୟରେ ନିୟୋଜିତ ଥାନ୍ତି, ତା’ ହେଲେ ଏହି କାର୍ଯ୍ୟ ଶେଷ କରିବା ପରେ ଯାଇ ସେମାନେ ନୂତନ ସ୍ଥାନରେ ଯୋଗଦେବେ।