ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ମୋଟ ୨ ଲକ୍ଷ ୫୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି । ରାଜ୍ୟ ସରକାର କୃଷକ ଓ କୃଷକଙ୍କ କଲ୍ୟାଣ ଉପରେ ଗୁରୁତ୍ବ ଦେଇଛନ୍ତି । ବଜେଟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୨୮ ହଜାର ୯୪୪ କୋଟି ଟଙ୍କା ବ୍ୟବବରାଦ କରାଯାଇଛି । ପଶୁସମ୍ପଦ ଓ ମାଛ ଚାଷ ଓଡ଼ିଶାର ଚାଷୀଙ୍କ ଆୟ ବୃ୍ଦ୍ଧିରେ ପ୍ରମୁଖ ଭୂମିକା ନିର୍ବାହ କରୁଛି । ଏହି କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ ୧ ହଜାର ୯ ଶହ ୩୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅର୍ଥନୈତିକ ବିକାଶ, ଦାରିଦ୍ର୍ୟ ଦୂରୀକରଣ ଓ କୃଷକଙ୍କ ଅଭିବୃଦ୍ଧି ପାଇଁ ଜଳସେଚନ ଉପରେ ଗୁରୁତ୍ବ ।
ରାଜ୍ୟରେ ଖାଦ୍ୟ ନିରାପତ୍ତା ସୁନିଶ୍ଚିତ ହୋଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ଧାନକ୍ରୟର ପ୍ରାପ୍ୟ ଚାଷୀଙ୍କୁ ଠିକ ସମୟରେ ପୈଠ କରିବାକୁ ବଜେଟରେ ୨ ହଜାର କୋଟି ଟଙ୍କାର ରିଭଳଭିଂ ଫଣ୍ଡ ସୃଷ୍ଟଇ କରାଯାଇଛି । ବଜେଟରେ ସ୍ବାସ୍ଥ୍ୟସେବା ପାଇଁ ୧୯ ହଜାର ୯୫୯ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି କ୍ରମରେ ଆମ ହସ୍ପିଟାଲ ଯୋଜନାରେ ଆଗାମୀ ୫ ବର୍ଷରେ ୩୩୮୯ କୋଟି ଟଙ୍କା ବିନିଯୋଗରେ ୧୮୫୮ ସ୍ବାସ୍ଥ୍ୟକେନ୍ଦ୍ରର ରୂପାନ୍ତରିକରଣ କାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୧୩୧୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ BSKY ପାଇଁ ୫୪୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟ ପାଇଁ ୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ବିଏସକେଓ୍ବାଇ ଓ ନବୀନ କାର୍ଡ ଅଧିନରେ ମୋଟ ୧ କୋଟି ୧୦ ଲକ୍ଷରୁ ଅଧିକ ପରିବାର ସ୍ବାସ୍ଥ୍ୟ ସୁବିଧା ପାଇବେ। ସେହିପରି ଜାତୀୟ ସ୍ବାସ୍ଥ୍ୟ ମିଶନ ପାଇଁ ୧୬୬୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ୨୦୨୪-୨୫ ଆର୍ଥିକ ବର୍ଷରେ ୧୪ ଲକ୍ଷ ୮୬ ହଜାର ଅନୁସୂଚିତ ଜନଜାତି, ଅନୁସୂଚିତ ଜାତିଓ ଅନ୍ୟ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ପାଇଁ ୧୪୪୯ କୋଟି ଟଙ୍କାର ବ୍ୟୟବରାଦ କରାଯାଉଛି । ଅନୁସୂଚିତ ଜନଜାତି ଓ ଜାତିର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମାଧ୍ୟମ ଶିକ୍ଷାର ସୁଯୋଗ ଦେବା ପାଇଁ ବଜେଟରେ ଅନ୍ବେଷା କାର୍ଯ୍ୟକ୍ରମ ମାଧ୍ୟମରେ ୧୩୦ କୋଟି ଟଙ୍କାର ପ୍ରସ୍ତାବ ଦିଆଯାିଛି । ଆଦିବାସୀ ସଂସ୍କୃତି ଓ ପରାମ୍ପରା, ଐତିହ୍ୟ ଓ ସବୁ ଜନଜାତିର ସ୍ବତନ୍ତ୍ର ପରିଚୟ ପାଇଁ ୨୩ଟଇ ଜିଲ୍ଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଏହାରି ଅଧୀନରେ ବିଭିନ୍ନ କାର୍ଯ୍ୟ ହାତକୁ ନେବାକୁ ୨୨୬ କୋଟି ଟଙ୍କା ବ୍ୟବବରାଦ କରାଯାଇଛି ।
ବଜେଟରେ ଶିକ୍ଷା ଲାଗି ୩୩ ହଜାର ୮୬୫ କୋଟି ଟଙ୍କାର ବ୍ଯୟବରାଦ ହୋଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ଲାଗି ୨୪ ହଜାର ୭୬୪ କୋଟି ଟଙ୍କା ବ୍ୟୟ ହେବ । ମୋ ସ୍କୁଲ ଅଭିଯାନ ଅଧୀନରେ ଖର୍ଚ୍ଚ ହେବ ୫୨୧ କୋଟି ଟଙ୍କା । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଲାଗି ୮୮୦ କୋଟି, 5T ଅଧୀନରେ ଉଚ୍ଚ ବିଦ୍ୟାଳୟର ରୂପାନ୍ତରଣ ଲାଗି ୧୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଉଚ୍ଚଶିକ୍ଷା ଲାଗି ୩ ହଜାର ୪୭୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ ଅର୍ଥମନ୍ତ୍ରୀ ।
ସରକାର ରାଜ୍ୟର ପରିବହନ ବ୍ୟବସ୍ଥା ଉପରେ ଗୁରୁତ୍ବ ଦେଉଛନ୍ତି । ପରିବହନ ବିଭାଗ କାର୍ଯ୍ୟକ୍ରମ ବ୍ୟବବରାଦରେ ୨୯୯୮ କୋଟି ଟଙ୍କା ପ୍ରସ୍ତାବ ରହିଛି । ଗ୍ରାମୀଣ ଯୋଗାଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ଗ୍ରାମୀଣ ସଡ଼କ ଓ ସେତୁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ୮୮୧୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହି କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ବିଜୁ ସେତୁ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ କରୁଛି । ଲକ୍ଷ୍ମୀ ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୧୯୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଆମ ବସଷ୍ଟାଣ୍ଡ ଯୋଜନାରେ ୨୪-୨୫ ଆର୍ଥିକ ବର୍ଷରେ ୨୧୦ କୋଟି ଟଙ୍କା ବ୍ୟୟରେ ୧୩୨ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ ପ୍ରସ୍ତାବ ରହିଛି । ସେହିପରି ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ ରହିଛି । ଏହାବାଦ ୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ରେଳ ପ୍ରକଳ୍ପର ବିକାଶ ପାଇଁ ୭୦୦ କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ରହିଛି ।