ବିକାଶ ଦରକାର, ଡବଲ ଇଂଜିନ୍ କାମକୁ ନୁହଁ: ନବୀନ

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କରି ବର୍ଷିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡ଼ାରେ ଦୀପାଳି ଜିତିବା ପରେ ବିଜେପିକୁ କଟାକ୍ଷ କରିଛନ୍ତି।   ବିରୋଧୀ କିନ୍ତୁ ମା’ ଭଉଣୀ ମାନଙ୍କୁ  ଅସମ୍ମାନ କରୁଛନ୍ତି । ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧି ନକରାତ୍ମକ ରାଜନୀତିର ଫର୍ମୁଲା ଆପଣାଇ ଗୋଟିଏ ଝିଅକୁ ଯେମିତି ଗାଳି କରୁଥିଲେ ଝାରସୁଗୁଡାରେ ସମାନ ଆଚରଣ ପ୍ରଦର୍ଶନ କରିଥିଲେ ।  ମା’ମାନଙ୍କୁ ଅସମ୍ମାନକୁ ଓଡିଶାବାସୀ କେବେ ହେଲେ ବରଦାସ୍ତ କରିନାହାଁନ୍ତି କି କରିବେ ନାହିଁ ବୋଲି କହିଛନ୍ତି ନବୀନ । ଏହା ପରେ ନବୀନ କହିଥିଲେ  ବିକାଶ ଦରକାର, ଡବଲ୍ ଇଞ୍ଜିନ କି ସିଙ୍ଗଲ ଇଞ୍ଜିନ ନୁହେଁ । ମୁଁ ଆଜି କଥା ଦେଉଛି,  ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ ତାର ଉଦ୍ୟମକୁ ଆହୁରି ଜୋରଦାର କରିବ। ଝାରସୁଗୁଡ଼ା ପାଇଁ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ। ମୁଁ ଝାରସୁଗୁଡାବାସୀଙ୍କ ନିକଟରେ ଋଣୀ। ଏ ବିଜୟ ଝାରସୁଗୁଡାବସୀଙ୍କର, ମହିଳା ସଶକ୍ତିକରଣର ବିଜୟ। ନବଦାସଙ୍କ ବିକାଶ କାର୍ଯ୍ୟକୁ ଆହୁରି ଆଗକୁ ନିଆଯିବ । ଓଡ଼ିଶାର ଲୋକମାନଙ୍କ ପାଖରେ ବିଜେଡି ସବୁବେଳେ ଠିଆ ହୋଇଛି । ମହିଳାଙ୍କ ପାଇଁ କାର୍ଯ୍ୟ କରୁଛି ବିଜେଡି । ସେମାନଙ୍କୁ ହାଣ୍ଡିଶାଳର ଚାରିକାନ୍ଥ ମଧ୍ୟରୁ ବାହାରକୁ ଆଣିବା ସହ ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି ।   ଶଙ୍ଖ ଭବନରେ ଆୟୋଜିତ ଝାରସୁଗୁଡା ବିଜୟ ଉତ୍ସବରେ ନବୀନଙ୍କ ଉପସ୍ଥିତି ପାଇଁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୃତଜ୍ଞତା ଜଣାଇବା ସହ ଝାରସୁଗୁଡାବାସୀ ନକରାତ୍ମକ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ବୋଲି କହିଥିଲେ ।